ପରମାଣୁ ଧମକ ଦେଲେ ରୁଷ୍‌ ରାଷ୍ଟ୍ରପତି !

0

ପରମାଣୁ ଧମକ ଦେଇଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ରାଷ୍ଟ୍ରପତି ପୁଟିନ୍‌ ଏକ ବଡ଼ ଘୋଷଣା କରି ଦେଶବାସୀଙ୍କୁ ସତର୍କ କରାଇ ଦେଇଛନ୍ତି। ଏକ ଟେଲିଭିଜନ ବାର୍ତ୍ତା ମାଧ୍ୟମରେ ସେ ଦେଶବାସୀଙ୍କୁ ଏକ ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ଵାନ କରିଛନ୍ତି।

ଭ୍ଲାଦିମିର୍‌ ପୁଟିନ ନିଜର ଏକ ଟେଲିଭିଜନ ବାର୍ତ୍ତାରେ ଦାବି କରିଛନ୍ତି କି, ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୁଷ୍‌ ବିରୋଧରେ ପରମାଣୁ ବ୍ଲାକ୍‌ମେଲିଂ କରୁଛନ୍ତି। ରୁଷ୍‌କୁ ଧ୍ୱଂସ କରିବା ପାଇଁ ସେମାନେ ଷଡ଼ଯନ୍ତ୍ର ରଚୁଛନ୍ତି। ୟୁକ୍ରେନକୁ ଅସ୍ତ୍ର କରି ରୁଷ୍‌କୁ ଧ୍ୱଂସ କରିବାକୁ ଉଦ୍ୟମ କରୁଛନ୍ତି। ଏଥିରେ ଯେଉଁ ମାନେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧରେ ରୁଷ୍‌ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ପୁଟିନ କହିଛନ୍ତି, ରୁଷ୍‌ ବିରୋଧରେ ପରମାଣୁ ବ୍ଲାକ୍‌ମେଲିଂ ପାଇଁ ଷଡ଼ଯନ୍ତ୍ର ରଚୁଥିବା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଉପରେ ରୁଷ୍‌ କଠୋର ପଦକ୍ଷେପ ନେବ। ଯଦି ଆମ ଦେଶ ପ୍ରତି କୌଣସି ବିପଦ ଆସେ, ତା’ ହେଲେ ଆମେ ସମସ୍ତ ଅସ୍ତ୍ର ପ୍ରୟୋଗ କରିଦେବୁ। ରୁଷ୍‌ ପାଖରେ ଉପଲବ୍ଧ ଥିବା ସମସ୍ତ ଅସ୍ତ୍ରକୁ ଏଥିପାଇଁ ଉପଯୋଗ କରାଯିବ ବୋଲି ରାଷ୍ଟ୍ରପତି ପୁଟିନ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକୁ ଚେତାବନୀ ଜାରି କରିଛନ୍ତି।

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ବୁଧବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ସେ ୟୁକ୍ରେନରେ ଆହୁରି ଅଧିକ ସେନା ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ପୁଟିନ୍‌ କହିଛନ୍ତି କି, ‘ମୁଁ ପାଶ୍ଚାତ୍ୟ ଦେଶଗୁଡ଼ିକୁ ମନେ ପକାଇ ଦେବାକୁ ଚାହୁଁଛି ଯେ ଆମ ଦେଶରେ ବିନାଶର ବିଭିନ୍ନ ସାଧନ ରହିଛି। ଏହା ନାଟୋ ଦେଶଗୁଡ଼ିକଠାରୁ ଅଧିକ ଆଧୁନିକ। ଯେତେବେଳେ ଆମ ଦେଶର କ୍ଷେତ୍ରୀୟ ଅଖଣ୍ଡତାକୁ ବିପଦ ପହଞ୍ଚିବ, ତ ରକ୍ଷା ପାଇଁ ରୁଷ୍‌ ଏବଂ ଆମର ଲୋକେ ନିଶ୍ଚିତ ରୂପେ ଏହି ସଂସାଧନଗୁଡ଼ିକୁ ବ୍ୟବହାର କରିବେ’। କହି ରଖୁଛୁ, ରୁଷୀୟ ସେନା ଏବେ ୟୁକ୍ରେନର ପ୍ରତି ଆକ୍ରମଣର ସାମ୍ନା କରୁଛନ୍ତି। ୟୁକ୍ରେନ ଦାବି କରିଥିଲା ଯେ ନିକଟ ଅତୀତରେ ସେ ରୁଷ୍‌ର ଏକ ବଡ଼ ଭୂଭାଗକୁ ଛଡ଼ାଇ ନେଇଛି।

ତେବେ ଏକ ରିପୋର୍ଟ ମୁତାବକ, ଟିଭିରେ ଦେଇଥିବା ଭାଷଣରେ ପୁଟିନ୍‌ କହିଛନ୍ତି, ସେ ନିଜର ୨ ମିଲିୟନ ମଜଭୁତ୍‌ ସୈନ୍ୟ ରିଜର୍ଭକୁ ୟୁକ୍ରେନ ପଠାଇ ରୁଷ୍‌ ଏବଂ ଏହାର ସୀମା ଅଞ୍ଚଳ ଗୁଡ଼ିକର ସୁରକ୍ଷା କରିବାକୁ ଚାହୁଁଛନ୍ତି। ତାଙ୍କ ଦାବି ହେଲା, ପାଶ୍ଚାତ୍ୟ ରାଷ୍ଟ୍ର ରୁଷ୍‌କୁ ବର୍ବାଦ କରିବାକୁ ଚାହୁଁଛନ୍ତି ଏବଂ ୟୁକ୍ରେନରେ ଶାନ୍ତି ଚାହୁଁ ନାହାନ୍ତି।

ପୁଟିନ କହିଛନ୍ତି, ପାଶ୍ଚାତ୍ୟ ଦେଶ ପରମାଣୁ ଶକ୍ତିକୁ ନେଇ ବ୍ଲାକ୍‌ମେଲିଂ କରୁଛନ୍ତି, କିନ୍ତୁ ରୁଷ୍‌ ପାଖରେ ଏହାର ଜବାବ ଦେବା ପାଇଁ ବହୁତ କିଛି ଅସ୍ତ୍ରଶସ୍ତ୍ର ରହିଛି। ତେଣୁ ସେମାନେ ଏହାକୁ ହାଲୁକାରେ ନେବା ଉଚିତ୍‌ ନୁହେଁ।

SOA post below
Leave a comment