ଲୋକସଭା ବାଚସ୍ପତିଙ୍କୁ ଭେଟିଲେ ବାଚସ୍ପତି

0

ଆଜି ନୂଆଦିଲ୍ଲୀସ୍ଥିତ ଲୋକସଭା ସଚିବାଳୟଠାରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖ ମାନ୍ୟବର ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ଓଡ଼ିଶା ବିଧାନସଭାର ଅଧିକାରୀ ଓ କର୍ମଚାରୀମାନଙ୍କୁ ବୈଷୟିକ ଜ୍ଞାନକୌଶଳରେ ଅଧିକ ପ୍ରଶିକ୍ଷିତ କରି ଆଗାମୀ ଦିନରେ ଓଡ଼ିଶା ବିଧାନସଭାକୁ ଦେଶର ଏକ ଆଦର୍ଶ ବିଧାନସଭାରେ ପରିଣତ କରିବା ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ବାଚସ୍ପତି ଶ୍ରୀ ଆରୁଖ ଲୋକସଭା ବାଚସ୍ପତିଙ୍କୁ ଅବଗତ କରାଇଥିଲେ। ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା ଓଡ଼ିଶା ବିଧାନସଭାର ବିଭିନ୍ନ କାର୍ଯ୍ୟ ଓ ପରିଚାଳନା ବାବଦରେ ଶ୍ରୀ ଆରୁଖଙ୍କୁ ପଚାରି ବୁଝିଥିଲେ । ନିକଟରେ ଶେଷ ହୋଇଥିବା ବଜେଟ ଅଧିବେଶନର ଶାନ୍ତିପୂର୍ଣ୍ଣ ଓ ସୂଚାରୁ ପରିଚାଳନା ନେଇ ଶ୍ରୀ ବିର୍ଲା ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଏପରି କାର୍ଯ୍ୟଧାରା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ବିକାଶଧାରା ନେଇ ଶ୍ରୀ ବିର୍ଲା ଓ ଶ୍ରୀ ଆରୁଖଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ବାଚସ୍ପତି ଶ୍ରୀ ଆରୁଖ ଉପଢୌକନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ପ୍ରଦାନପୂର୍ବକ ଶ୍ରୀ ବିର୍ଲାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଆଲୋଚନା ବେଶ୍‌ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

SOA post below
Leave a comment