ଓଡ଼ିଶା ମିଡ଼ିଆ କନକ୍ଲେଭ ଓ ଜାତୀୟ ମିଡ଼ିଆ ଏକ୍ସପୋ ଉଦଘାଟିତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍କଳ ସାମ୍ବାଦିକ ସଙ୍ଘ ଓ ଭୁବନେଶ୍ୱର ମିଡ଼ିଆ ଫୋରମ ପକ୍ଷରୁ ଗତକାଲି ଓଡ଼ିଶା ମିଡ଼ିଆ କନକ୍ଲେଭ ଓ ଜାତୀୟ ମିଡ଼ିଆ ଏକ୍ସପୋ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ବେହେରା କହିଥିଲେ, ରାଜ୍ୟର ବିକାଶରେ ସାମ୍ବାଦିକ ଓ ସମ୍ବାଦପତ୍ରର ଅବଦାନ ଅନସ୍ବୀକାର୍ଜ୍ୟ । ସ୍ୱତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନରେ ସେତେବେଳ ପ୍ରକାଶିତ ଖବର କାଗଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେହିପରି ସାମ୍ବାଦିକତା ଏକ ଚ୍ୟାଲେଞ୍ଜ ପୂର୍ଣ୍ଣ ବୃତ୍ତି ଅଟେ । ମାତ୍ର ଏସବୁ ସତ୍ତ୍ୱେ ସାମ୍ବାଦିକ ମନେ ସମାଜ ତଥା ସାଧାରଣ ଜନତାଙ୍କ ସମସ୍ୟାକୁ ସଠିକ ଭାବରେ ଉପସ୍ଥାପନ କରିଥାନ୍ତି ।

ଓଡ଼ିଶା ମିଡ଼ିଆ କନକ୍ଲେଭ ଓ ଜାତୀୟ ମିଡ଼ିଆ ଏକ୍ସପୋରେ ମୂଖ୍ୟ ବକ୍ତା ଭାବରେ ଯୋଗଦେଇ ସାଂସଦ ଓ ସମ୍ବାଦ ଖବରକାଗଜର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ସମ୍ବାଦପତ୍ର ସବୁଦିଗରୁ ଲୋକଙ୍କୁ ସଚେତନ କରୁଛି । ଅନ୍ୟ ବୃତ୍ତି ଠାରୁ ସାମ୍ବାଦିକତା ଭିନ୍ନ ଅଟେ । ତେଣୁ କାହାଠାରୁ ନଶୁଣି ଘଟଣା ସ୍ଥଳରେ ନିଜେ ଉପସ୍ଥିତ ରହି ପ୍ରକୃତ ଘଟଣା ଲୋକଙ୍କ ପାଖରେ ପହଞ୍ଚେଇବା ଜଣେ ସାମ୍ବାଦିକର କର୍ତ୍ତବ୍ୟ ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମିଡ଼ିଆ ଫୋରମର ସାଧାରଣ ସମ୍ପାଦକ ପପୁ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ ଅଧ୍ୟକ୍ଷ ପ୍ରଦୀପ ସାହା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ରାଜ୍ୟ ତଥା ଦେଶ ବିଦେଶର ବିଭିନ୍ନ ଭାଷାର ଖବର କାଗଜ, ପତ୍ରିକା ଆଦିର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏଥିସହ ଫଟୋ ସାମ୍ବାଦିକ ଜିତେନ୍ଦ୍ର ମହାନ୍ତିଙ୍କ ମଧ୍ୟ ସ୍ଥାନିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ୧୨ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ଡଃ ବିଭୁଦତ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ଅଶୋକ ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, ଚିନ୍ମୟୀ ପଣ୍ଡା, ମାନସୀରାଣୀ ସୁନ୍ଦରାୟ, ସତ୍ୟବ୍ରତ ଲେଙ୍କା, କ୍ଷୀରେନ୍ଦ୍ର କୁମାର ନାୟକ, ପ୍ରମୋଦ କୁମାର ସାମଲ ଓ ଜିତେନ୍ଦ୍ର ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଏହି ପ୍ରଦର୍ଶନୀ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ । ଏହି ସଭାରେ ବହୁ ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ ବିଭାଗର ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବି ମନେ ଉପସ୍ଥିତ ଥିଲେ ।

Sikshaya
Leave A Reply

Your email address will not be published.