ଆଉ ୨ ଦିନ ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା !

0

ଉତ୍ତର ଓଡ଼ିଶାରେ ଆଗାମୀ ଦୁଇଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି)ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ୨୪ ତାରିଖ ଠାରୁ ୨୬ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଉଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ୨୫ ତାରିଖରେ ମୟୂରଭଂଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ୨ଟି ଜିଲ୍ଲାରେ ୭ରୁ ୨୦ ସେମି ବର୍ଷା ହୋଇପାରେ। ସେହିପରି ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ୭ରୁ ୧୧ସେମି ବର୍ଷା ହୋଇପାରେ।

ପାଣିପାଗ ବିଭାଗ ପକ୍ଷରୁ ଅଗଷ୍ଟ ୨୫ ତାରିଖ ସକାଳ ସାଢ଼େ ୮ଟାରୁ ୨୬ ତାରିଖ ପର୍ଯ୍ୟନ୍ତ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ୭ରୁ ୧୧ ସେମି ବର୍ଷା ରେକର୍ଡ ହୋଇପାରେ। ସେହିପରି ଆଗାମୀ ୨୪ ଘଣ୍ଟା ପାଇଁ ମୟୂରଭଂଜ ଓ ସୁନ୍ଦଗରଡ଼ ଜିଲ୍ଲାର ଚାଷୀଭାଇମାନଙ୍କ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ‌ୱାର୍ଣ୍ଣିଂ ଜାରି ହୋଇଛି। ଏହି ୨ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି।

SOA post below
Leave a comment