ଆଜିଠୁ ୩ଦିନ ଛେଚିବ; ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି l ଦକ୍ଷିଣ ମିଆଁମାର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଥିଲା ଘୂର୍ଣ୍ଣିବଳୟ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ ଲଘୁଚାପ ଏବଂ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୁପ ନେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୩ଦିନ ପ୍ରବଳ ବର୍ଷା ହେବ । ବର୍ଷା ହେଲେ ପାଣିର ପରିମାଣ ବୃଦ୍ଧି ପାଇବ । ବନ୍ୟା ସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କା କରାଯାଉଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ୧୮ ଓ ୧୯ ଓ୨୦ ତାରିଖ ତିନି ଦିନ ବର୍ଷା ହେବ । ଆସନ୍ତାକାଲି ବର୍ଷାର ପରିମାଣ ଅଧିକ ରହିବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୦ ତାରିଖରେ ପଶ୍ଚିମ ଓଡିଶାର ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମହାନଦୀ ଉପର ମୁଣ୍ଡରେ ବର୍ଷାହେବା ସହ ନଦୀର ଜଳସ୍ତର ବୃଦ୍ଧି ପାଇବ ।