ଖୋଲିବ ଭଣ୍ଡାର, ରତ୍ନ ଦେଖିବା ମନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରତ୍ନଭଣ୍ଡାର ଖୋଲା ଯିବାକୁ ନେଇ ଲାଗିରହିଥିବା ଦ୍ଵନ୍ଦର ଅନ୍ତ ଘଟିଛି। ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଜଣାଇଛନ୍ତି ଆସନ୍ତା ୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନେତୃତ୍ୱରେ ଚାଲିଥିବା ଛତିଶା ନିଯୋଗ ବୈଠକ ଶେଷ ହୋଇଛି। କେବଳ ୧୦ଜଣ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରି ପାରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ସେମାନଙ୍କ ମଧ୍ୟରେ ରହିଛନ୍ତି ଗଜପତି ମହାରାଜ,ପାଟ୍ଟଜୋଶୀ ମହାପାତ୍ର,ଭଣ୍ଡାର ମେକାପ,ତଢଉ କରଣ,ଦେଉଳ କରଣ,
ଏଏସଆଇର ଦୁଇ ଜଣ ଯନ୍ତ୍ରୀ,ଏଏସଆଇ କୋର କମିଟିର ଦୁଇଜଣ ସଦସ୍ୟ। ସେମାନେ ହେଲେ ଜିସି ମିତ୍ର ଓ ଏନ୍ ପାଲ ଏବଂ ହାଇକୋର୍ଟ ପକ୍ଷରୁ ଯିବେ ଜଷ୍ଟିସ୍ ଏନ କେ ମହାନ୍ତି।

ସେମାନେ ଭିତରକୁ ପ୍ରବେଶ କରି କେବଳ ସ୍ଥିତି ପରଖିବେ,ରତ୍ନକୁ ଦେଖିବେ ନାହିଁ। ଯେଉଁମାନେ ଭଣ୍ଡାର ଘର ଭିତରକୁ ଯିବେ ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।

ସମାନେ କେବଳ ଧୋତି ଓ ଗାମୁଛା ପିନ୍ଧି ରତ୍ନ ଭଣ୍ଡାର ମଧ୍ୟକୁ ପ୍ରବେଶ କରି କରିବେ। ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ସେମାନଙ୍କର ଯାଞ୍ଚ କରାଯିବ। ସଦସ୍ୟଙ୍କ ଦେହରେ କୌଣସି ଅଳଙ୍କାର, ମୁଦି କିମ୍ବା ଅନ୍ୟ କୌଣସି ପ୍ରସାଧନ ସାମଗ୍ରୀ ରହିବ ନାହିଁ ଏବଂ ଯେଉଁ ଧୋତି ଓ ଗାମୁଛା ପିନ୍ଧି ରତ୍ନଭଣ୍ଡାରକୁ ପ୍ରେବଶ କରିବେ ତାହା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ଏହାଛଡା ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ସମସ୍ତଙ୍କର ସ୍କାନିଂ କରାଯିବ।

ରତ୍ନଭଣ୍ଡାରର ଗୃହ ଗୁଡ଼ିକ ଅନ୍ଧକାର ହୋଇଥିବାରୁ ପ୍ରବେଶ ସମୟରେ ଖଣି ଅଂଚଳରେ ବ୍ୟବହାର ହେଉଥିବା ଏଲଇଡି ଲାଇଟ୍ ମୁଣ୍ଡରେ ଲଗାଇ ଯିବାକୁ ବ୍ୟବସ୍ଥା କରାଯିବ। ଏହି ସବୁ ଗତିବିଧିର ଭିଡିଓଗ୍ରାଫ୍ କରାଯିବ ଓ ତାହା ମନ୍ଦିର ପ୍ରଶାସନର ତତ୍ୱାବଧାନରେ ସଂରକ୍ଷିତ ରଖାଯିବ। ରତ୍ନଭଣ୍ଡାର ଭିତରକୁ ଯାଇଥିବା ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଡାକ୍ତରୀ ଦଳ ମହଜୁଦ ରହିବେ ଆବଶ୍ୟକ ସ୍ଥଳେ ସ୍ନେକ ହେଲ୍ପଲାଇନର ମଧ୍ୟ ସହାୟତା ଲୋଡାଯିବ।

ଭିଡିଓଗ୍ରାଫ କେବଳ ରତ୍ନଭଣ୍ଡାରର ସୁରକ୍ଷା ପାଇଁ ଆବଶ୍ୟକ ହେଉଥିବା କାନ୍ଥ ଓ ଛାତ ଆଦିର କରାଯିବ। ରତ୍ନଭଣ୍ଡାରେ ଥିବା କୌଣସି ସାମଗ୍ରୀ କିମ୍ବା ଅଳଙ୍କାରର କୌଣସି ଚିତ୍ର ଉତୋଳନ ହେବ ନାହିଁ ।

ଏହା ସହିତ ରତ୍ନଭଣ୍ଡାର ଯାଞ୍ଚ ପରେ କେବେ ଓ କିପରି ଏହାର ମରାମତି କରାଯିବ ସେନେଇ ସତ୍ୟପାଠ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Sikshaya
Leave A Reply

Your email address will not be published.