କଟକ ଓ ଭୁବନେଶ୍ୱରକୁ ଆସିପାରିବେ ରୋଗୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ଓ ଭୁବନେଶ୍ୱରସ୍ଥିତ କୋଭିଡ୍ ହସ୍ପିଟାଲକୁ କରୋନା ରୋଗୀଙ୍କୁ ପଠାଇବା ନିମନ୍ତେ ସରକାର ବାରଣ କରିନାହାନ୍ତି। ସରକାର ଟ୍ୱିନସିଟିରେ ସୃଷ୍ଟି କରିଥିବା ଚିକିତ୍ସା ସୁବିଧା ସାରା ରାଜ୍ୟର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ କହିଛନ୍ତି। ସେହିପରି ରୋଗୀଙ୍କୁ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଓ ଅମ୍ଳଜାନ ଆଦି ସହାୟତା ସହ କଟକ ଓ ଭୁବନେଶ୍ୱରର ରେଫରାଲ ହସ୍ପିଟାଲକୁ ପଠାଇବା ପାଇଁ ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଜଣେ ରୋଗୀ ଯେପରି ସୁରକ୍ଷିତ ଭାବେ ରେଫରାଲ ହସ୍ପିଟାଲରେ ପହଞ୍ଚି ପାରିବ, ସେ ବିଷୟରେ ବିଭାଗୀୟ ନିର୍ଦ୍ଦେଶନାମାରେ କୁହାଯାଇଛି। ‘କ୍ରିଟିକାଲ ଚିକିତ୍ସା’ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ଏହାର ଉଦ୍ଦେଶ୍ୟ। ଆସିଲାବେଳେ ଯେପରି ରୋଗୀଙ୍କର ଅମ୍ଳଜାନ ଅଭାବ ନହୁଏ, ‘ହାଇପକସିଆ’ ନହୁଏ ଏସବୁ ବିଷୟରେ ଯତ୍ନବାନ ହେବା ପାଇଁ ଜିଲ୍ଲାସ୍ତରରେ କାର୍ଯ୍ୟରତ ଚିକିତ୍ସକ ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ କୁହାଯାଇଛି। ଆସିବା ବେଳେ ରୋଗୀ ନିଜେ କେଉଁ ପ୍ରକାର ସତର୍କତା ଅବଲମ୍ବନ କରିବା ଦରକାର ତାହା ମଧ୍ୟ ସମ୍ପୃକ୍ତ ଡାକ୍ତର ରୋଗୀଙ୍କୁ ସଠିକ୍ ଭାବେ ବୁଝାଇବେ। ରୋଗୀଙ୍କୁ ପ୍ରାରମ୍ଭିକ ଚିକିତ୍ସା, ପରାମର୍ଶ ଓ ଉପଯୁକ୍ତ ବ୍ୟବସ୍ଥା ସହ ପଠାଇଲେ ରୋଗୀଙ୍କର ଅବସ୍ଥାରେ ବିଶେଷ ଅବନତି ହେବନାହିଁ ଏବଂ ତାଙ୍କ ଜୀବନର ରକ୍ଷା ସମ୍ଭାବନା ବଢ଼ିବ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.