୨୦୦ ଟଙ୍କା ଦିଅ, ମାଟ୍ରିକ ସାର୍ଟିଫିକେଟ ନିଅ

୨୦୦ ଟଙ୍କା ଦେଲେ ମିଳୁଛି ମାଟ୍ରିକ ସାର୍ଟିଫିକେଟ, ଟଙ୍କା ଦିଅ ସାର୍ଟି ଫିକେଟ ନିଅ, ଟଙ୍କା ନାହିଁତ ସାର୍ଟିଫିକେଟ ନାହିଁ । ଏମିତି କହି ପିଲାଙ୍କ ଠାରୁ ଟଙ୍କା ଆଦାୟ କରି ମାଟ୍ରିକ ସାର୍ଟିଫିକେଟ ଦେଉଛନ୍ତି ପ୍ରଧାନ ଶିକ୍ଷକ । ଯାହାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଯିଏ ଟଙ୍କା ଦେଉଛି ସେ ସାର୍ଟିଫିକେଟ ନେଉଛି ଯିଏ ଦେଉନାହିଁ ଟଙ୍କା ଦେବା ପରେ ଦିଆଯିବ ବୋଲି କୁହାଯାଉଛି । ଯଦି ରସିଦ ମଗା ଯାଉଛି ତେବେ ସ୍କୁଲ ଡେଭଲପମେଣ୍ଟ ନାମରେ ଟଙ୍କା ଆଦାୟ କରାଯାଉଥିବା କହୁଛନ୍ତି ଶିକ୍ଷକ । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଶାଳୀଜଙ୍ଗା ପଞ୍ଚାୟତ ହାଇସ୍କୁଲରୁ l
ଶାଳୀଜଙ୍ଗା ପଞ୍ଚାୟତ ହାଇସ୍କୁଲରେ ଚଳିତ ବର୍ଷ ମୋଟ ୬୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପାସ କରିଛନ୍ତି । ମାଟ୍ରିକ ସାର୍ଟିଫିକେଟ ନେବା ପାଇଁ ବିଦ୍ୟାଳୟକୁ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରି ଆସୁଥିବା ବେଳେ ତାଙ୍କ ଠାରୁ ୨ଶହ ଟଙ୍କା ନେଇ ସାର୍ଟିଫିକେଟ ଦେଉଛନ୍ତି ପ୍ରଧାନ ଶିକ୍ଷକ । ତେବେ ୫୯ ଜଣ ଛାତ୍ରଛାତ୍ରୀ ଟଙ୍କା ଦେଇ ସାର୍ଟିଫିକେଟ ନେଇଥିବା ବେଳେ ସବ୍ୟସାଚୀ ନାମକ ଜଣେ ଛାତ୍ର ଏହାକୁ ପ୍ରତିବାଦ କରିଥିଲେ । ସେ ଟଙ୍କା ଦେଇ ସାର୍ଟିଫିକେଟ ନେବାପରେ ଶିକ୍ଷକଙ୍କୁ ରସିଦ ମାଗିଥିଲେ । କିନ୍ତୁ ଶିକ୍ଷକ ୨୦୨୦ ମସିହାର ଏକ ରସିଦ ଦେଇଥିଲେ ।
ଏନେଇ ଛାତ୍ର ସବ୍ୟସାଚୀ ଅଭିଯୋଗ କରିଛନ୍ତି ଯେ, ”ମୁଁ କଲେଜରେ ଆଡମିସନ କରିବା ପାଇଁ ସ୍କୁଲକୁ ମାଟ୍ରିକ ସାର୍ଟିଫିକେଟ ଆଣିବାକୁ ଯାଇଥିଲି, ସେଠାରେ ସାର କହିଲେ ଟଙ୍କା ନ ଦେଲେ ତତେ ଆମେ ସାର୍ଟିଫିକେଟ ଦବୁ ନାହିଁ, ଏହା ପରେ ମୁଁ ସାରଙ୍କୁ ୨ଶହ ଟଙ୍କା ଦେବା ପରେ ମୋତେ ସାର୍ଟିଫିକେଟ ଦେଇଥିଲେ, କିନ୍ତୁ ମୁଁ ରସିଦ ମାଗିବାରୁ ହେଡ ସାର ନାହାନ୍ତି ସେ ଆସିଲେ ଦେବେ ବୋଲି କହିଥିଲେ, ଏହା ପରେ ମୁଁ ପୁଣି ଯାଇ ରସିଦ ମାଗିବାରୁ ୨୦୨୦ ମସିହାରେ ଏକ ରସିଦ ଦେଇଥିଲେ । ଯେଉଁଥିରେ କିଛି ଷ୍ଟାମ୍ପନଥିଲା, ଏନେଇ ଶିକ୍ଷକଙ୍କୁ ପଚାରିବାରୁ ସେ ରସିଦରେ ଷ୍ଟାମ୍ପ ମରାଯାଏ ନାହିଁ ବୋଲି କହିଥିଲେ । ଏହାପରେ କଲେଜରେ ପାଠ ପଢୁଥିବା ମୋର ଜଣେ ଭାଇଙ୍କ ଷ୍ଟାମ୍ପ ମରାଯାଇଥିବା ରସିଦ ଆଣି ସାରଙ୍କୁ ଦେଖାଇଥିଲି, ଏହାପରେ ସେ ଏକ ଷ୍ଟାମ୍ପ ମାରି ରସିଦ ଦେଇଥିଲେ, କିନ୍ତୁ ତାହା ସ୍ପଷ୍ଟ ଭାବେ ଦିଶୁନାହିଁ, ଏହାପରେ ବିଦ୍ୟାଳୟ ଡେଭଲପମେଣ୍ଟ ପାଇଁ ୧୮୦ ଟଙ୍କା ଓ ଏସଏଲସି ପାଇଁ ୨୦ ଟଙ୍କା ନିଆଯାଉଥିବା କହି, ଏହି ଟଙ୍କା କମିଟିକୁ ଯାଉଥିବା କହିଥିଲେ ଶିକ୍ଷକ” ।