ବଦଳିଲେ ପିସିସି ସଭାପତି ନିରଞ୍ଜନ, ନୂତନ ସଭାପତି ହେଲେ ଆର୍ଯ୍ୟକୁମାରଙ୍କ ଜ୍ଞାନେନ୍ଦ୍ର !!!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ କଂଗ୍ରେସରେ ପିସିସି ସଭାପତି ବଦଳିବା କୌଣସି ନୂଆ କଥାନୁହେଁ । ଏଠି ନୂତନ ପିସିସି ସଭାପତିଙ୍କୁ ବାଣ, ବାଜା ଓ ବିଶାଳ ଶୋଭାଯାତ୍ରାରେ ପାଛୋଟା ଯାଏ ଓ ତାପରେ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରାଯାଏ । ଏହା ରାଜ୍ୟ କଂଗ୍ରେସ ର ଅଭ୍ୟାସ ହୋଇଗଲାଣି । ଦଳ ପଛେ ମାଟିରେ ମିଶିଯାଉ, ହେଲେ ପିସିସି ସଭାପତି ବଦଳ ପ୍ରକ୍ରିୟା ସେମିତି ଚାଲିଥାଉ ।

ହେଲେ ଏଥର ପିସିସି ପରିବର୍ତ୍ତନରେ ଟିକେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ନା ହୋଇଥିଲା କୌଣସି ଗୁପ୍ତ ବୈଠକ ନା କେହି ଦୌଡ଼ି ଥିଲେ ଦିଲ୍ଲୀ । ବିନା ଲବି ରେ କିପରି ୪/୫ମାସ ଭିତରେ ବଦଳି ଗଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ? ତାଙ୍କ ଜାଗାରେ ନୂଆ ସଭାପତି ହୋଇଛନ୍ତି ଦଳର ବରିଷ୍ଠ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର । କିନ୍ତୁ ଏ ସମ୍ପର୍କରେ ଏଆଇସିସି ପକ୍ଷରୁ କୌଣସି ବିଜ୍ଞପ୍ତି ଦିଆଯାଇ ନାହିଁ, ମାତ୍ର ପିସିସି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରୁ ଏହା ସାମ୍ନାକୁ ଆସିଛି ।

ଅବଶ୍ୟ ଏକଥା ଆମେ କହୁନାହୁଁ ପିସିସି ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ ସେଇ କଥା ଲେଖାଯାଇଛି । ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତିକୁ ବିରୋଧ କରି ପିସିସି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଆଉ ସେଥିରେ ଯେଉଁ ପ୍ରେସ ବିବୃତ୍ତି ଜାରି କରାଯାଇଥିଲା ତାହା ହେଲା ” ମେଡ଼ିକାଲ କଲେଜ ନେଇ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିଜ୍ଞାପନକୁ କଂଗ୍ରେସର ନିନ୍ଦା : ୧୯୯୯ରେ କଂଗ୍ରେସ ସରକାର ସରକାର ସମୟରେ ବଲାଙ୍ଗୀର ଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଥିଲା”। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏହି ପ୍ରେସ ବିବୃତ୍ତି ରେ ପିସିସି ସଭାପତି ଭାବେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ନାମ ଲେଖା ଯାଇଛି ଓ ତା ତଳେ ପିସିସି ପ୍ରଚାର କମିଟି ସଦସ୍ୟ ଅଶୋକ ସାମଲ ବି ଦସ୍ତଖତ କରିଛନ୍ତି । ତେବେ କଣ ସମସ୍ତଙ୍କ ଅଜାଣତରେ ପିସିସି ସଭାପତି ବଦଳି ଗଲେ ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଯାହାହେଉ ଦେଖିବାକୁ ବାକି ରହିଲା ଏପରି ତ୍ରୁଟି ପାଇଁ ଏଆଇସିସି ଓ ପିସିସି କଣ ପଦକ୍ଷପ ନେଉଛି ।

Leave A Reply

Your email address will not be published.