ରାସନ କାର୍ଡରେ ମିଳିବ ପିଇବା ପାଣି

0

ଓଡିଶା ଫାଷ୍ଟ(ବ୍ୟୁରୋ): ଓଡିଶାରେ ଉପୁଜିବ ଆଫ୍ରିକା ପରିସ୍ଥିତି । ପାଣି ଟୋପେ ପାଇଁ ରାଜ୍ୟବାସୀ ହେବେ ଡହଳ ବିକଳ । ଚିନି, କିରୋସିନି ପରି ରାସନ କାର୍ଡରେ ମିଳିବ ପାନୀୟ ଜଳ । ଏ କଥା ଆମେ ନୁହେଁ ଖୋଦ୍ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ପ୍ରକାଶ କରିଛନ୍ତି ।

ଛତିଶଗଡ ନିର୍ମାଣ କରିଥିବା ବ୍ୟାରେଜଗୁଡିକ ଯୋଗୁଁ ମୌସୁମୀ ଓ ଅଣ ମୌସୁମୀ ଋତୁରେ ହୀରାକୁଦକୁ ମହାନଦୀ ଜଳପ୍ରବାହ ବହୁ ପରିମାଣରେ କମିଯାଇଛି । ବର୍ତ୍ତମାନ ଛତିଶଗଡ ୧୬•୬ ମିଲିଅନ ଏକର ଫୁଟ ଜଳ ଧାରଣ କ୍ଷମତାର ବନ୍ଧ କରିସାରିଛି । ମହାନଦୀରେ ଓଡିଶାକୁ ୨୦ ମିଲିଅନ ଏକର ଫୁଟ ପାଣି ଆସୁଥିବା ବେଳେ ଛତିଶଗଡ ସମୁଦାୟ ୨୭ ମିଲିଅନ ଏକର ଫୁଟ ପାଣି ଗଚ୍ଛିତ ରଖିବା ପାଇଁ ଯୋଜନା କରିଛି । ଓଡିଶାର ଦାବୀ ଓ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ନମାନି ନୂଆ ପ୍ରକଳ୍ପ ନିର୍ମାଣ କରୁଛି ।

ଫଳରେ ମହାନଦୀ ସମ୍ପୂର୍ଣ୍ଣ ଶୁଷ୍କ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ମହାନଦୀର ଶାଖା ଭାର୍ଗବୀ ନଦୀ ସମ୍ପୂର୍ଣ୍ଣ ଶୁଖି ଯାଇଛି । ଫଳରେ ଚିଲିକାକୁ ମଧୁର ଜଳ ପ୍ରବେଶ କରିପାରୁନି । ସବୁଠାରୁ ବଡ଼ ବିପଦ ହେଉଛି ରାଜଧାନୀକୁ ମଧ୍ୟ ପାନୀୟ ଜଳ ଯୋଗାଣ ପ୍ରଭାବିତ ହୋଇଛି । କୁଆଖାଇ ନଦୀରେ ବାଲି ବନ୍ଧ କରାଯାଇ ଓ କେନାଲରୁ ବର୍ତ୍ତମାନ ଭୁବନେଶ୍ବକୁ ଜଳ ଯୋଗାଣ ହେଉଛି । ଆଫ୍ରିକୀୟ ଦେଶ ପରି Day Zero situation ଅର୍ଥାତ ଆଗକୁ ରାସନ କାର୍ଡ ଯୋଗେ ପାଣି ଯୋଗାଣ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଟ୍ରିବ୍ୟୁନାଲ ଗଠନ ହୋଇଥିଲେ ମଧ୍ୟ ଟର୍ମସ ଅଫ ରେଫରେନ୍ସ ଦେଉନି କେନ୍ଦ୍ର । ତେଣୁ ଶୁଣାଣୀ ହେଇପାରିବ ନାହିଁ । ଏପରିକି ବାରମ୍ବାର ଚେଷ୍ଟା କରିବା ସତ୍ତ୍ବେ ଲେଟର ଅଫ ରେଫରେନ୍ସ ମଧ୍ୟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇନି ।

Leave A Reply

Your email address will not be published.