ଭାରତ ଭୂମି ଉପରେ ଆଖି ପକାଇଲେ ଉଚିତ୍ ଜବାବ୍ ମିଳିବ- ପ୍ରଧାନମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ହେଉଛି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ। ଆଜିର ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଏ। ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଶପଥପାଠ କରାଇବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ,ସୀମାକୁ ନେଇ ଭାରତର ଦୃଷ୍ଟିକୋଣ ବଦଳିଛି। ସୀମାରେ ଶହ ଶହ କିଲୋମିଟରର ସଡ଼କ ନିର୍ମାଣ କରୁଛି ଭାରତ। ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାର ଶକ୍ତି ଆମ ପାଖରେ ରହିଛି। ଭାରତ ଭୂମି ଉପରେ ଆଖି ପକାଇଲେ ଉଚିତ୍ ଜବାବ୍ ମିଳିବ ବୋଲି କହି ପ୍ରଧାନମନ୍ତ୍ରୀ ପଡୋଶୀ ଶତ୍ରୁଙ୍କୁ ଚେତାବନୀ ଦେଇଛନ୍ତି।
ସେ ଆହୁରି କହିଛନ୍ତି, ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ବଡ଼ ଚିନ୍ତାର ବିଷୟ। ଏହା ବିରୋଧରେ ସମଗ୍ର ବିଶ୍ୱକୁ ଏକାଠି ହେବାକୁ ପଡ଼ିବ। ବିବିଧତାରେ ଏକତା ଆମର ପରିଚୟ। ଆଉ ଏହି ଏକତାକୁ ଭାଙ୍ଗିବାକୁ କିଛି ଶକ୍ତି ଅହରହ ଉଦ୍ୟମ କରୁଛନ୍ତି। କେବଳ ଏକତା ହିଁ ଆମକୁ ଅପରାଜେୟ, ଅସାଧାରଣ, ଅଦ୍ୱିତୀୟ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପୁଲୱାମା ଆକ୍ରମଣ ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ଦେଶ କେବେ ବି ପୁଲୱାମା ଆକ୍ରମଣ ଭୁଲି ପାରିବନି। କିଛି ବ୍ୟକ୍ତି ପୁଲୱାମା ଆକ୍ରମଣରେ ବି ରାଜନୀତି ସ୍ୱାର୍ଥ ଦେଖୁଥିଲେ। ସ୍ୱାର୍ଥଭରା ରାଜନୀତି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ସହିଦ ବୀର ସନ୍ତାନମାନଙ୍କ ପାଇଁ ଦୁଃଖ ନ କରି ସେମାନେ ରାଜନୀତି କରୁଥିଲେ। ଏ ସବୁ ଶୁଣିବା ପରେ ମଧ୍ୟ ମୁଁ ମୁହଁ ଖୋଲି ନ ଥିଲି। ହେଲେ ପଡେ଼ାଶୀ ଦେଶର ସଂସଦରେ ସତ ଉପରୁ ପରଦା ଉଠିଲା।

Leave A Reply

Your email address will not be published.