ଆଜିଠାରୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ବୈଠକ, କରୋନା ମୁକାବିଲା ନେଇ ପ୍ରସ୍ତୁତ ହେବ ରଣନୀତି

0

ଓଡ଼ିଶାଫାଷ୍ଟ(ବ୍ୟୁରୋ):ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହୁହୁ ହୋଇ ବଢିଚାଲିଥିବାରୁ ଏହାର ସଫଳ ମୁକାବିଲା ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ବୈଠକ ଆସନ୍ତାକାଲିଠାରୁ ଆରମ୍ଭହେବ। ଭିଡିଓ କନ୍‌ଫରେନସିଂ ଜରିଆରେ ଏହି ବୈଠକ ହେବାକୁ ଥିବାବେଳେ କରୋନା ସଂକ୍ରମଣ ହାର ଓ ରାଜ୍ୟମାନଙ୍କର ଭୌଗଳିକ ଅବସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ୨ଟି ଭାଗରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିପାରନ୍ତି ବୋଲି ସୂଚନା ମିଳିଛି ।

ଏଥିରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ହାରାହାରୀ ୫ ପ୍ରତିଶତ ଆକ୍ଟିଭ କେସ୍ ଥିବା ସମୁଦାୟ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କର ମୁଖ୍ୟ ଏବଂ ଶୀର୍ଷ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଥିବାବେଳେ ବୁଧବାର ସଂକ୍ରମଣ ବଢୁଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚାଚାଲିଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଲୋଚନା କରିବାକୁ ଥିବା ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଛି ।

ବିଶେଷକରି ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ଏହି ରାଜ୍ୟଗୁଡ଼ିକର ପରିସ୍ଥିତିକୁ ଅଣାୟତ୍ତ କରିଦେଇଛି । ଏଣୁ ବୈଠକରେ ପ୍ରଧାନମନ୍ତ୍ରୀ ଜୁନ୍‌ ଶେଷ ସୁଧା ଟେଷ୍ଟିଂ ନମ୍ବର ବଢାଇବାକୁ ପରାମର୍ଶ ଦେବା ସହ କଣ୍ଟେନମେଣ୍ଟ ଜୋନରେ ଡୋର ଟୁ ଡୋର ଟେଷ୍ଟିଂ ଲାଗି ମଧ୍ୟ ପରାମର୍ଶ ଦେଇପାରନ୍ତି ବୋଲି ସର୍ବତ୍ର ଆଲୋଚନା ହେଉଛି । ଆହୁରି ମଧ୍ୟ ଦେଶରେ କେନ୍ଦ୍ର ସରକାର ଅନଲକ୍ ୧ ଆରମ୍ଭ କରିସାରିଥିବାରୁ ପରିସ୍ଥିତିକୁ ଆୟତ୍ତ କରିବା ଲାଗି ସଂପୃକ୍ତ ରାଜ୍ୟମାନଙ୍କୁ ନିଜସ୍ୱ ନିଷ୍ପତ୍ତି ନେବାର ପୂର୍ଣ୍ଣ ଅଧିକାର ମଧ୍ୟ ଦିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି।

ସେହିପରି ମୁଖ୍ୟମନ୍ତ୍ରୀମାନଙ୍କୁ କମନ୍‌ ଷ୍ଟ୍ରାଟେଜି ଆପଣେଇବା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ପରାମର୍ଶ ଲୋଡିପାରନ୍ତି । ଦେଶରେ ରିକୋଭରି ହାର ୫୦ ପ୍ରତିଶତରେ ପହଞ୍ଚିଥିଲେ ମଧ୍ୟ ହେଲଥ୍ ଇନ୍‌ଫ୍ରାଷ୍ଟ୍ରକ୍ଚର ଉପରେ କ୍ରମାଗତ ଭାବରେ ଅତ୍ୟଧିକ ବୋଝ ବୃଦ୍ଧି ପାଇଚାଲିଛି । ଏଣୁ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସଂକ୍ରମଣ ନିୟନ୍ତ୍ରଣ ଲାଗି ଲକଡାଉନ୍‌ ସମ୍ପ୍ରସାରଣର ବିକଳ୍ପ ଉପରେ ମଧ୍ୟ ବିରାରବିମର୍ଷ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.