ବାବୁଶାନ ଓ ପ୍ରକୃତିଙ୍କୁ ପୋଲିସର ନୋଟିସ; ଥାନାରେ ହାଜର ହୁଅ

ଗତକାଲିଠାରୁ ଷ୍ଟାର ଘର କଳି ରାଜରାସ୍ତାରେ ପଡିବା ପରଠାରୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ୨ଟି ମାମଲା ରୁଜୁ ହୋଇଥିବାବେଳେ ଆଜି ଏକ ନୂଆ ମୋଡ଼ ନେଇଛି । ଉଭୟ ମାମଲାକୁ ନେଇ ପୋଲିସ ପଚରାଉଚରା କରୁଥିବାବେଳେ ଏ ମଧ୍ୟରେ ୭ଜଣଙ୍କର ବୟାନ ରେକର୍ଡ କରିଥିବା ଜଣାପଡିଛି । ଅନ୍ୟପଟେ ଆଜି ପୋଲିସ ପକ୍ଷରୁ ବାବୁଶାନ ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ ଜାରି କରାଯାଇଛି । ଖୁବଶୀଘ୍ର ଓଡ଼ିଶା ଫେରିବା ପରେ ଥାନାରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ଉଭୟଙ୍କୁ ନୋଟିସରେ କୁହାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ଘଟଣାରେ ବାବୁଶାନଙ୍କ ଶ୍ୱଶୁର ଲଳିତ ଶତପଥୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଥିବା ବେଳେ ମନ୍ମଥ ମିଶ୍ରଙ୍କ ଅଭିଯୋଗ ଆଧାରରେ ତାଙ୍କୁ ମଧ୍ୟ ନୋଟିସ କରିଛି ପୋଲିସ ଏବଂ ତାଙ୍କୁ ଖାରବେଳ ନଗର ଥାନା ପୋଲିସ ପଚରାଉଚରା କରୁଛି।
ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଆଜି ସତ୍ୟନଗରସ୍ଥିତ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ପଚରାଉଚରା କରିଛି । ଆଖପାଖ ଲୋକଙ୍କୁ ପଚାରିବା ସହ ସିସିଟିଭି ଫୁଟେଜକୁ ଯାଂଚ କରିଛି । ଏହି ସହିତ ଉଭୟ ପରିବାର ଲୋକଙ୍କୁ ଭେଟି ପୋଲିସ ପଚରାଉଚରା କରିବ ବୋଲି ଜଣାପଡିଛି । ଅନ୍ୟପଟେ ଆଜି ବାବୁଶାନଙ୍କ ମା’ ଅପରାଜିତା ମହାନ୍ତି ମଧ୍ୟ ନିଜର କଥା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।