କରୋନା ପାଇଁ ବାଧାପ୍ରାପ୍ତ ହେଲା ମିଳିମିଳା ଓ ପୋଲିଓ ଟିକାକରଣ : ବିଶ୍ୱର ୮କୋଟି ଶିଶୁ ପ୍ରଭାବିତ ହେବେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରୋନା ପାଇଁ ସମଗ୍ର ବିଶ୍ୱରେ ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ରିପୋର୍ଟ ମୁତାବକ କରୋନା ସମସ୍ୟା ପାଇଁ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ବିଶ୍ୱର ୮ କୋଟି ଶିଶୁ ଭୟଙ୍କର ରୋଗରେ ପୀଡ଼ିତ ହେବାର ସମ୍ଭାବନା ବୃଦ୍ଧି ପାଇଛି । ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ତୁରନ୍ତ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବିଶେଷଜ୍ଞମାନେ ଦାବି କରୁଛନ୍ତି । ଏପରି ନ କଲେ ହଇଜା, ମିଳିମିଳା, ରୋଟା ଭାଇରସ୍‌ ଏବଂ ଡିପ୍‌ଥୋରିଆ ଭଳି ବ୍ୟାଧି ଯୋଗୁ ହେବାକୁ ଥିବା ମୃତ୍ୟୁସଂଖ୍ୟା କରୋନାଠାରୁ ମଧ୍ୟ ବଳିଯିବ । ତେବେ WHOର ଅଧିକାରୀମାନେ ଏବେ ବିଶ୍ଳେଷଣ କରୁଛନ୍ତି । ମହାମାରୀ ମଧ୍ୟରେ କିଭଳି ସୁରକ୍ଷିତ ଟିକାକରଣ ବ୍ୟବସ୍ଥା କରାଯାଇପାରିବ ତାହା ଉପରେ ରଣନୀତି ପ୍ରସ୍ତୁତ କରିବା ପାଇଁ ଦେଶଗୁଡିକୁ ପରାମର୍ଶ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ପାଖାପାଖି ୧୨୫ରୁ ଅଧିକ ଗରିବ ଏବଂ ମଧ୍ୟମ ଆୟ ବର୍ଗୀୟ ଦେଶକୁ ନେଇ WHO ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ, ପାଖାପାଖି ୭୦ଟି ଦେଶରେ କ୍ଲିନିକ୍‌ ଏବଂ ବଡ଼ ବଡ଼ ଟିକାକରଣ ଅଭିଯାନ ଜରିଆରେ ଭ୍ୟାକ୍‌ସିନ୍‌ ସେବା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ମିଳିମିଳା କାର୍ଯ୍ୟକ୍ରମକୁ ୨୭ଟି ଦେଶ ବନ୍ଦ କରିଦେଇଛନ୍ତି । ଅନ୍ୟପକ୍ଷରେ ବିଶ୍ୱର ୩୮ଟି ଦେଶରେ ପୋଲିଓ କାର୍ଯ୍ୟକ୍ରମକୁ ରୋକାଯାଇଛି । ଇତି ମଧ୍ୟରେ ପୋଲିଓ ମୁକ୍ତ ଅଭିଯାନକୁ ବଡ଼ ଧରଣର ସଫଳତା ମିଳିଥିଲା । ଏହାର କାରଣ ଥିଲା ବିଶାଳ ଟିକାକରଣ କାର୍ଯ୍ୟକ୍ରମ । କିନ୍ତୁ ବର୍ତ୍ତମାନ କରୋନା ସ୍ଥିତି ଯୋଗୁ ଏଥିରେ ବଡ଼ ଧରଣର ବାଧା ସୃଷ୍ଟି ହୋଇଛି । ରିପୋର୍ଟରେ ପୋଲିଓକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ପୋଲିଓ ଓ ମିଳିମିଳା ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ଥିବାରୁ ଆଗକୁ ବଡ଼ ଧରଣର ସମସ୍ୟା ଉପୁଜିପାରେ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହା କରୋନାଜନିତ ମୃତ୍ୟୁସଂଖ୍ୟାକୁ ବଳିଯାଇପାରେ ବୋଲି କୁହାଯାଇଛି ।

Leave A Reply

Your email address will not be published.