ପ୍ରଦୀପ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ – odishafast

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଗଷ୍ଟ ମାସରେ ଶେଷ ହେବ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ରେ ଶେଷ ହେବାକୁ ଥିଲା । ମାତ୍ର ଏହାକୁ ୬ମାସ ବୃଦ୍ଧି କରିଥିଲେ ରାଜ୍ୟ ସରକାର ଯାହାକି ଚଳିତ ମାସ ଶେଷ ହେବ । କେନ୍ଦ୍ରସରକାର ରାଜୀବ ଗୋବେ(ୟୁନିଅନ କ୍ୟାବିନେଟ ସଚିବ)ଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରିଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧି କରିଥିଲେ । ମାତ୍ର ଆଗକୁ ଏହି ଅବଧି ବଢ଼ିବା ସମ୍ଭାବନା ଖୁବ କମ । ତେଣୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ପାଇଁ ଏକ ତାଲିକା ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି । ଏହି ତାଲିକାରେ ୧୯୮୭ ରୁ ୧୯୯୦ ବ୍ୟାଚର ରାଜେଶ ବର୍ମା , ପ୍ରଦୀପ ମହାପାତ୍ର, ପ୍ରଦୀପ ଜେନା, ଜି ଭି ବେନୁଗୋପାଲ ଶର୍ମା, ତୁହିଂନ କାନ୍ତ ପାଣ୍ଡେ, ସି ଜେ ବେନୁଗୋପାଲ, ମନୋଜ ଆହୁଜାଙ୍କ ନାଁ ରହିଛି । ସେମାନଙ୍କ ମଧ୍ୟରୁ ପ୍ରଦୀପ ଜେନାଙ୍କ ବ୍ୟତୀତ ଅନ୍ୟ ସମସ୍ତେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।

ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ୬ମାସ ବଢ଼ିବା ପୂର୍ବରୁ ରାଜେଶ ବର୍ମା ଏବଂ ଏସଆରସି ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ନାଁ ତାଲିକାରେ ସର୍ବାଗ୍ରେ ଥିବା ଚର୍ଚ୍ଚା ହେଉଥିଲା । ମାତ୍ର ରାଜ୍ୟର ବର୍ତ୍ତମାନ ସ୍ଥିତିକୁ ଦେଖି ରାଜେଶ ବର୍ମା କିମ୍ବା ଅନ୍ୟମାନେ ଏହି ଦାୟିତ୍ୱ ନେବାକୁ ଇଛୁକ ନଥିବା ଶୁଣିବାକୁ ମିଳୁଛି । ତେଣୁ ଏହି ଦାୟିତ୍ୱ ପ୍ରଦୀପ କୁମାର ଜେନାଙ୍କୁ ମିଳିବା ନେଇ ସମ୍ଭାବନା ଅଧିକ ରହିଛି । ଶ୍ରୀ ଜେନା ଜଣେ ଦକ୍ଷ ଅଫିସର ଏବଂ ସରକାରଙ୍କ ଗୁଡ଼ ବୁକରେ ତାଙ୍କ ନାଁ ରହିଛି । ଏହାକୁ ଦେଖିଲେ ଆଗାମୀ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ହେବା ଏକପ୍ରକାର ସ୍ପଷ୍ଟ ହେଲାଣି ।

 

ସୂଚନା ଅନୁଯାୟୀ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଓଡ଼ିଶା-କ୍ୟାଡର ଆଇଏଏସ୍ ଅଧିକାରୀ ରାଜେଶ ବର୍ମା କେନ୍ଦ୍ରୀୟ ପ୍ରତିନିଧୀତା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଭାବରେ ଦାୟିତ୍ବ ତୁଲାଇ ସାରିଛନ୍ତି । ସେ ଶକ୍ତି ବିଭାଗର ମୁଖ୍ୟ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଦାୟିତ୍ବ ତାଙ୍କୁ ଦିଆଯିବା ନେଇ ଏକ ପ୍ରକାର ସୁନିଶ୍ଚିତ ଥିବା ଚର୍ଚ୍ଚା ହେଉଛି । ୨୦୧୯ ମସିହାରେ ଶ୍ରୀ ବର୍ମା କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ।

ଅପରପକ୍ଷରେ ୧୯୮୯ ବ୍ୟାଚ ଆଇଏଏସ ପ୍ରଦୀପ କୁମାର ଜେନା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦ ପାଇଁ ଜଣେ ପ୍ରମୁଖ ଦାବିଦାର । ସେ ଜଣେ ଦକ୍ଷ ପ୍ରଶାସକ । ବିପର୍ଯ୍ୟୟ ପରିଚାଳନା ସହ ଭାରତ ସରକାର, ନ୍ୟାସନାଲ ସାଇକ୍ଲୋନନ୍ ରିସ୍କ୍ ମିଟିଗେସନ୍ ଏବଂ ଓଡିଶା ବିପର୍ଯ୍ୟୟ ପୁନଃ ନିର୍ମାଣ ପ୍ରକଳ୍ପ ଭଳି ବିଶ୍ୱ ବ୍ୟାଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ପ୍ରକଳ୍ପ ସହିତ ମଧ୍ୟ ଶ୍ରୀଯୁକ୍ତ ଜେନା ସମନ୍ୱୟ ରକ୍ଷା ଦାୟିତ୍ୱ ବର୍ତ୍ତମାନ ତୁଲାଉଛନ୍ତି ।

 

ପୂର୍ବରୁ କିଛି ଅଣଓଡ଼ିଆ ମୁଖ୍ୟ ଶାସନ ସଚିବ ପଦବୀରେ ଥିଲେ । ମାତ୍ର ଜାନକୀ ବାବୁ ଏସ. ଏନ. ପଟ୍ଟନାୟକଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ପ୍ରଦାନ କରି ଅଣଓଡ଼ିଆ ପରମ୍ପରାକୁ ପରିବର୍ତ୍ତନ କରିଥିଲେ । ଯାହାକି ଆଜି ପର୍ଯ୍ୟନ୍ତ ଚାଲୁ ରହିଛି । ୧୯୮୦ରୁ କେବଳ ଓଡ଼ିଆ ମୁଖ୍ୟ ଶାସନ ସଚିବ ରହିବା ପରମ୍ପରା ଚାଲୁ ରହିଛି ।

SOA post below
Leave a comment