ରଥ ଭଙ୍ଗାକୁ ନେଇ ତେଜିଲା ଅସନ୍ତୋଷ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୋଲା ଚାଲିଛି ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନ । ସିଂହଦ୍ୱାରରେ ଛିଡା ହୋଇଥିବା ଦର୍ପଦଳନ ରଥକୁ ଖୋଲା ଯାଉଥିବାବେଳେ ଏହା ପରେ ନନ୍ଦିଘୋଷ ଓ ତାଳଧ୍ୱଜ ରଥକୁ ଖୋଲାଯିବ। ଯାହାକୁ ନେଇ ଭିନ୍ନ ମତାମତ ପ୍ରକାଶ ପାଇଛି, କିଛି ଏହାକୁ ସ୍ୱାଗତ କରିଥିବାବେଳେ କିଛି ପରମ୍ପରାବିରୋଧୀ ବୋଲି କହିଛନ୍ତି । ଚଳିତ ବର୍ଷର ତିନି ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ପ୍ରସ୍ତାବିତ ସଂଗ୍ରହାଳୟରେ ସଂରକ୍ଷିତ ରଖାଯିବ। ଚଳିତ ବର୍ଷର ରଥଯାତ୍ରା ସ୍ମୃତିକୁ ଭବିଷ୍ୟତ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତି‌ ନେଇଥିଲା । ଏହି କ୍ରମରେ ଜୁଲାଇ ୨୮ ତାରିଖରୁ ତିନିରଥ ଭଙ୍ଗାଯିବା ସହ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଅନ୍ୟପଟେ ରଥ ଭଙ୍ଗାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ସେବାୟତ ବିଜୟ ମହାପାତ୍ର । ସେ କହିଛନ୍ତି ଯେ ପ୍ରଶାସନକୁ ଲିଖିତ ଭାବେ ଦାବି ଜଣାଯାଇଛି । ଅକ୍ଷୟତୃତୀୟାର ପାଉଣା ମିଳି ନଥିବାବେଳେ ଦାବି ପୂରଣ ନହେଲେ ଅନ୍ୟ ରଥକୁ ଭାଙ୍ଗିବାକୁ ଦିଆଯିବ ନାହିଁ । ରଥ ଖୋଲା ଓ ସ୍ଥାନାନ୍ତର ପ୍ରକ୍ରିୟା ୨୫ ଦିନ ଭିତରେ ଶେଷ ହେବ । ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଗ୍ରିମ ଏକ ଲକ୍ଷ ଟଙ୍କା ମଞ୍ଜୁର କରିଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଆଦେଶ (ଚିଠି ନଂ-୫୭୮୧/୨୭.୭.୨୦୨୦) ଅନୁଯାୟୀ, ତିନିରଥର ମୁଖ୍ୟ ମହାରଣା, କମାର ସେବକ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର କରାଯାଇଛି । ଉପରୋକ୍ତ ସେବକମାନେ ଆବଶ୍ୟକ ଲୋକ ଲଗାଇ ରଥଭଙ୍ଗା ସହ ଜଗନ୍ନାଥ ବଲ୍ଲଭକୁ ଏହାକୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବେ । ଏ ବାବଦରେ ପ୍ରତ୍ୟେକଙ୍କୁ ୨୦୨୦ ବର୍ଷ ପାଇଁ ସ୍ଥିରୀକୃତ ମଜୁରି ଅନୁଯାୟୀ ଗୋଟିଏ ଲେଖାଏଁ ମଜୁରି ପ୍ରଦାନ କରାଯିବ । ତିନି ରଥରୁ ବାହାରିବାକୁ ଥିବା ସମସ୍ତ କାଠ, ପଟା ଆଦି ଯେପରି ସୁରକ୍ଷିତ ଓ ଅକ୍ଷୁର୍ଣ୍ଣ ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି । ତେବେ ରଥ ଭଙ୍ଗାଯିବାକୁ ନେଇ ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ତାଙ୍କୁ ଏ ବାବଦରେ କିଛି ଜଣାଯାଇନାହିଁ ।

ସେହିପରି ମୁକ୍ତି ମଣ୍ଡପର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ମିଶ୍ରଙ୍କ କହିବା କଥା ଯେ ରଥ ଉପରେ ଥିବା ଦଧିନଉତିରେ ଥିବା ଦୁଇଟି ଓଲଟା ଶୁଆଙ୍କ ମଧ୍ୟରୁ ଗୋଟିଏ ଜୀବ ଓ ଅନ୍ୟଟି ପରମ । ରଥ ପ୍ରତିଷ୍ଠା ବେଳେ ସେମାନଙ୍କୁ ସ୍ଥାପିତ କରାଯାଏ, ରଥଯାତ୍ରା ପରେ ସେମାନେ ବ୍ରହ୍ମ ସହ ମିଶିଯାଆନ୍ତି । ଏହା ଏକ ପୌରାଣିକ ଉପାଖ୍ୟାନ । ରଥ ଗୋଟିଏ ଶରୀର ହୋଇଥିବାରୁ ଏହା ରହିବା ଉଚିତ ନୁହେଁ । ତେବେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତ ହିଁ ଗ୍ରହଣଯୋଗ୍ୟ । ଅନ୍ୟପଟେ ରଥ ଭଙ୍ଗାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ସେବାୟତ ବିଜୟ ମହାପାତ୍ର । ସେ କହିଛନ୍ତି ଯେ ପ୍ରଶାସନକୁ ଲିଖିତ ଭାବେ ଦାବି ଜଣାଯାଇଛି । ଅକ୍ଷୟତୃତୀୟାର ପାଉଣା ମିଳି ନ ଥିବାବେଳେ ଦାବି ପୂରଣ ନ ହେଲେ ଅନ୍ୟ ରଥକୁ ଭାଙ୍ଗିବାକୁ ଦିଆଯିବ ନାହିଁ ।

Leave A Reply

Your email address will not be published.