ନିର୍ମାଣଧୀନ ରଥ ପାଇଁ ସଜାଗ ରହିଛି ଶ୍ରୀମନ୍ଦିର ପ୍ରଶାସନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମୁଦ୍ରିକ ବାତ୍ୟା ଅମ୍ଫାନର କ୍ଷତିରୁ ବର୍ତ୍ତିବାକୁ ଯାଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି । ବାତ୍ୟା କୁ ଦୃଷ୍ଟି ରେ ରଖି ରଥ ନିର୍ମାଣ କାର୍ଯ୍ୟ କୁ ୨ଦିନ ପାଇଁ ସ୍ଥଗିତ ରଖାଯାଇଛି । ଅପରପକ୍ଷରେ ରଥ ପାଇଁ ପ୍ରସ୍ତୁତ ହୋଇସାରିଥିବା ସମସ୍ତ ଜିନିଷକୁ ସୁରକ୍ଷିତ ଭାବେ ରଖାଯାଇଛି । ଯେପରିକି ବାତ୍ୟାର ପ୍ରଭାବରୁ ହେବାକୁଥିବା ପବନ ଓ ବର୍ଷା ଦ୍ୱାରା ଏହାର କୌଣସି କ୍ଷତି ନହୁଏ ।

ସେହିପରି ରଥଖଳାରେ କାମ କରୁଥିବା ସମସ୍ତ ୧୬୨ ଜଣ ସେବକଙ୍କର ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସେମାନଙ୍କ ପାଇଁ ରଥ ନିର୍ମାଣ ସ୍ଥାନରେ ସାନିଟାଇଜର ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଥିବା ଏହି ସାନିଟାଇଜରକୁ ଗୋଡ ସାହାଯ୍ୟରେ ହାତରେ ପକାଯାଉଛି । ଫଳରେ କରୋନା ସଂକ୍ରମଣର ଭୟକୁ ଦୂର କରାଯାଇ ପାରିଛି ।

ସୂଚନା ଅନୁଯାୟୀ, ଚଳିତବର୍ଷ ୧୨ ଦିନ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ରଥ ନିର୍ମାଣ କାର୍ଯ୍ୟ ଆଗେଇଚାଲିଛି । ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସେବାୟତଙ୍କ ସ୍ୱାପ ନମୁନା ଟେଷ୍ଟ କରାଯାଇଥିଲା । ଏହା ନେଗେଟିଭ ଆସିଥିବା ସ୍ପଷ୍ଟ କରାଯାଇଥିଲା ।

ଅପରପକ୍ଷରେ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆଗକୁ ରଥ ନିର୍ମାଣର ସମସ୍ତ କାମ ତିଥି ଅନୁସାରେ ସଂପନ୍ନ ହେବା ସହ ଠିକ୍‌ ସମୟରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।

Leave A Reply

Your email address will not be published.