ବହୁ ସଂଖ୍ୟାରେ ସେବକ ସଂକ୍ରମିତ, ଶ୍ରୀମନ୍ଦିର ଖୋଲିଲେ ସଂକ୍ରମଣ ବଢ଼ିବା ସହ ନୀତି ସଂପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ଅନ୍ୟ ସମସ୍ତ ମନ୍ଦିର, ମସଜିଦ୍, ଗୁରୁଦ୍ବାର, ଚର୍ଚ୍ଚ ସର୍ବସାଧାରଣଙ୍କ ପାଇଁ ଖୋଲିଯିବା ପ୍ରସଂଗ ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆଇନ ବିଭାଗ ଅନୁସଚିବ ଡି.ମାରାଣ୍ଡିଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଛି ଯେ ମନ୍ଦିର ପରିସରରେ ସାମାଜିକ ଦୂରତ୍ବ ରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଉଥିବା ବେଳେ ଗର୍ଭଗୃହ ଭିତରକୁ ପ୍ରବେଶ ପଥ ଅତ୍ୟନ୍ତ ସଂକୀର୍ଣ୍ଣ। ଏଭଳି ସ୍ଥିତିରେ ସାମାଜିକ ଦୂରତ୍ବ ରକ୍ଷା କରିବା କଷ୍ଟକର। ଏଥି ସହିତ ରାଜ୍ୟରେ ହଜାର ହଜାର ମନ୍ଦିର ରହିଛି। ପ୍ରତି ଗାଁରେ ଅତି କମରେ ଗୋଟିଏ ମନ୍ଦିର ରହିଛି। ସବୁ ମନ୍ଦିରରେ ଏକ ସମୟରେ ପୁଲିସ ମୁତୟନ କରିବା ସମ୍ଭବ ନୁହେଁ। ଆଇନ ଶୃଙ୍ଖଳା ରକ୍ଷା ସହିତ କୋଭିଡ-୧୯ ସଂପର୍କିତ କାର୍ଯ୍ୟରେ ରାଜ୍ୟ ପୁଲିସ ଏବେ ନିୟୋଜିତ। ଏବେ ଧାର୍ମିକ ଅନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇ ନ ଥିଲେ ମଧ୍ୟ ସମସ୍ତ ଧାର୍ମିକ କାର୍ଯ୍ୟ ସଂପାଦନ କରାଯାଉଛି। ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ବହୁ ସଂଖ୍ୟାରେ ସେବକ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଏହି ପରିସ୍ଥିତିରେ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଯଦି ଖୋଲା ଯାଏ ତେବେ ଆଉ ଅଧିକ ସଂଖ୍ୟାରେ ସେବକ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଫଳରେ ଧର୍ମାନୁଷ୍ଠାନରେ ନିୟମିତ ନୀତି ପ୍ରଭାବିତ ହେବ। ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୨୩ ମଧ୍ୟରେ ସେବକ ଓ କର୍ମଚାରୀଙ୍କ ଟେଷ୍ଟ କରାଯାଇଥିଲା। ୮୨୨ଟି ସଂଗୃହୀତ ନମୁନା ମଧ୍ୟରୁ ୩୭୯ଟି ପଜିଟିଭ୍ ବାହାରିଥିଲା। ଏଥି ମଧ୍ୟରେ ୪୭ ଜଣ ଶ୍ରୀମନ୍ଦିର କର୍ମଚାରୀ ହୋଇଥିବା ବେଳେ ଅବଶିଷ୍ଟ ୩୩୨ଜଣ ସେବକ ସଂପ୍ରଦାୟର। ଏଭଳି ଗମ୍ଭୀର ସ୍ଥିତି ମଧ୍ୟରେ ଶ୍ରୀଜିଉଙ୍କ ନୀତିକାନ୍ତି ବିନା କୌଣସି ବାଧାରେ ଅନୁଷ୍ଠିତ ହେଉଛି। ଯଦି ଅଧିକ ସଂଖ୍ୟକ ସେବକ ସଂକ୍ରମିତ ହୁଅନ୍ତି ତେବେ ମନ୍ଦିରରେ ନୀତି ସଂପାଦନ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ ଧର୍ମାନୁଷ୍ଠାନ ଖୋଲିବା ଉପରେ ଯେଉଁ କଟକଣା ଜାରି କରାଯାଇଛି ତାହା ଜନସ୍ବାର୍ଥରେ ବୋଲି ଜବାବରେ ଉଲ୍ଲେଖ କରାଯାଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ପ୍ରସଂଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି କଟକଣା ଜାରି ପାଇଁ ନିଷ୍ପତ୍ତି ନେଇଥିଲେ। ପଡୋଶୀ ଆନ୍ଧ୍ରପ୍ରଦେଶରେ ଥିବା ପ୍ରସିଦ୍ଧ ତିରୁପତି ମନ୍ଦିର ଜୁନ୍ ୧୧ରୁ ଖୋଲିବା ପରେ ଏହାର ୭ଶହ କର୍ମଚାରୀ କ‌େରାନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି। ତିରୁପତିର ଅଂଶ ତିରୁମାଲାରେ ୩ଜଣ କର୍ମଚାରୀଙ୍କ ଜୀବନ ହାନି ହୋଇଛି। ତେଣୁ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବା ଉପରେ କଟକଣା ଜାରି କରିଥିଲେ। ଧର୍ମାନୁଷ୍ଠାନ ଖୋଲିବା ପ୍ରସଂଗକୁ ନେଇ ଗୀତାର୍ଥ ଗଙ୍ଗା ଟ୍ରଷ୍ଟ ବନାମ କେନ୍ଦ୍ର ସରକାର ମାମଲାରେ ସେପ୍ଟେମ୍ବର ୯ରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏପରି ପରିସ୍ଥିତିରେ ହାଇକୋର୍ଟରେ ବିଚାରାଧୀନ ଏହି ମାମଲା ଗ୍ରହଣୀୟ ନୁହେଁ ବୋଲି ଜବାବରେ ଉଲ୍ଲେଖ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀ ଜୟନ୍ତ କୁମାର ବଳଙ୍କ ତରଫରୁ ଆଇନଜୀବୀ ବିଭୁତି ଭୂ‌ଷଣ ଚୌଧୁରୀ ଓ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ବନ୍ଦେ ଉତ୍କଳ ଜନନୀ ଗାନ
ମାମଲାର ବିବରଣୀରୁ ପ୍ରକାଶ ଯେ ଜୁନ୍ ୮ରୁ ଧର୍ମାନୁଷ୍ଠାନ ସାଧାରଣଙ୍କ ଲୋକଙ୍କ ପାଇଁ ଖୋଲା ଯାଇ ପାରିବ ବୋଲି ୨୦୨୦, ମେ’ ୩୧ରେ କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀରେ ସ୍ପଷ୍ଟ କରିଥିଲେ। ଏହାପରେ ଅଗଷ୍ଟ ୨୯‌ରେ ଅନ୍‌ଲକ୍-୪ ନେଇ ଜାରି କରାଯାଇଥିବା ନିୟମାବଳୀ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ପ୍ରକାର କଟକଣା ଜାରି କରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ପଡ଼ିବ। କିନ୍ତୁ ଏ ସମସ୍ତ ନିୟମ ଉଲ୍ଲଂଘନ କରି ରାଜ୍ୟ ସରକାର ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବା ଉପରେ କଟକଣା ଜାରି କରିଥିଲେ ବୋଲି ଦର୍ଶାଇ ଶ୍ରୀ ବଳ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଅଗଷ୍ଟ ୩୧ରେ ଧର୍ମାନୁଷ୍ଠାନ ଉପରେ କଟକଣା ସଂପର୍କିତ ରାଜ୍ୟ ସରକାରଙ୍କ ନିୟମାବଳୀ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଜୁଲାଇ ୩୧ରେ ସୁପ୍ରିମକୋର୍ଟ ନିଶିକାନ୍ତ ଦୁବେ ବନାମ କେନ୍ଦ୍ର ସରକାର ମାମଲାରେ ପ୍ରଦାନ କରିଥିବା ରାୟ ପ୍ରସଂଗରେ ଆବେଦନରେ ଉଲ୍ଲେଖ କରାଯିବା ସହିତ ଧର୍ମାନୁଷ୍ଠାନରେ ସାମାଜିକ ଦୂରତ୍ବ ଓ ଅନ୍ୟାନ୍ୟ କୋଭଡି-୧୯ ନିୟମାବଳୀ ପାଳନ କରି ଅନୁମତି ଦେଇହେବ ବୋଲି ଦର୍ଶାଯାଇଛି। ୨୦୨୦, ଅଗଷ୍ଟ ୧୦ରେ ହାଇକୋର୍ଟ ଧର୍ମାନୁଷ୍ଠାନ ଖୋଲିବା ପ୍ରସଂଗରେ ବିଚାର କରି ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ କହିଥିଲେ। କିନ୍ତୁ ଏହି ନିର୍ଦ୍ଦେଶ ପାଳନ କରାଯାଇ ନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାର ବିନା କାରଣରେ ଓ ନିୟମ ଉଲ୍ଲଂଘନ କରି ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଧର୍ମାନୁଷ୍ଠାନକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରଖିଛନ୍ତି। ଦୋକାନ, ହୋଟେଲ, ସପିଂ ମଲ୍, ଫିଟନେସ୍ ସେଣ୍ଟର, ଜିମ୍, ଯୋଗ‌ କେନ୍ଦ୍ର, ମଦ ଦୋକାନ, ବସ୍ ଚଳାଚଳ ଇତ୍ୟାଦି ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିବା ବେଳେ ସର୍ବସାଧାରଣଙ୍କ ପାଇଁ ଧର୍ମାନୁଷ୍ଠାନ ଖୋଲିବାରେ କେଉଁଠି ଅସୁବିଧା ରହିଲା ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ସରକାରଙ୍କ ନିୟମାବଳୀ ଉଲ୍ଲଂଘନ କରି ରାଜ୍ୟ ସରକାର ଧର୍ମାନୁଷ୍ଠାନ ଉପରେ ଏପରି କଟକଣା ଜାରି କରିଛନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ଭାରତୀୟ ସମ୍ବିଧାନର ଧାରା ୧୪ ଅନୁସାରେ ସମସ୍ତ ନାଗରିକଙ୍କ ସମାନ ଧାର୍ମିକ ଅଧିକାର ରହିଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଉପରେ ଜାରି କରିଥିବା କଟକଣା ଲୋକଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ କରୁଛି। ପୁରୀ ସହର କଣ୍ଟେନମେଣ୍ଟ ଜେନ୍ ହୋଇ ନଥିବା ବେଳେ କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥି ସହିତ ରାଜ୍ୟର ସବୁ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ମନ୍ଦିର, ମସଜିଦ୍, ଗୁରୁଦ୍ବାର, ଚର୍ଚ୍ଚ ଖୋଲିବାକୁ ଅନୁମତି ଦିଆଯିବା ଆବଶ୍ୟକ। ସାମାଜିକ ଦୂରତ୍ବ ବଜାୟ ରଖି, ମାସ୍କ ପିନ୍ଧି ଲୋକମାନେ ସମସ୍ତ ନିୟମ ପାଳନ କରି ଧର୍ମାନୁଷ୍ଠାନକୁ ଯିବା ପାଇଁ ରାଜି ଥିବା ବେଳେ ସରକାର ଏଥି ପାଇଁ ଅନୁମତି ଦେବା ଦରକାର ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର, ଆଇନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ଜିଲ୍ଲାପାଳ, ଏସପି, ଦେବୋତ୍ତର କମିସନର, ପୁଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି।

Leave A Reply

Your email address will not be published.