ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପାଇଁ ସବିତା ଓ ପୂର୍ଣ୍ଣିମା ମନୋନୀତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ଅଗଷ୍ଟ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ରାଜ୍ୟସ୍ତରୀୟ ଏହି ପୁରସ୍କାର ପାଇଁ ୨୦୧୯ ବର୍ଷ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ନିପାଣିଆ ଗ୍ରାମର ପୂର୍ଣ୍ଣିମା ଗିରି ଓ ସବିତା ଗିରି ମନୋନୀତ ହୋଇଛନ୍ତି। ଏହି ଦୁଇ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ୨୯ ତାରିଖରେ ଲୋକସେବା ଭବନରରେ ସମ୍ମାନିତ କରିବେ। ଉକ୍ତ ଦୁଇ ପ୍ରତିଭାଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରାଶି ସମେତ ରୂପା ପଦକ ଓ ମାନପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ପର୍ଣ୍ଣିମା ଓ ସବିତାଙ୍କର ଏହି କୃତିତ୍ୱପାଇଁ ଜିଲ୍ଲାପାଳ ସମର୍ଥ ବର୍ମା , ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ , ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକାନାଥ ପାଣିଗ୍ରାହୀ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ଯୋଗ୍ୟ ଯେ, ୨୦୧୯ ଜାନୁୟାରୀ ୨ ତାରିଖ ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ହର୍ସିଣା ଗ୍ରାମର ୪୫ ଜଣ ପର୍ଯ୍ୟଟକ ନୂଆବର୍ଷ ପାଇଁ ବଣଭୋଜି ସାରି ହୁକିଟୋଲାରୁ ଏକ ବୋଟ ଯୋଗେ ଘରକୁ ଫେରୁଥିଲେ। ତେବେ ବତୀଘରର ନିପାଣିଆ ନିକଟରେ ବୋଟ ଭାରସାମ୍ୟ ହରାଇ ନଦୀରେ ବୁଡିଯାଇଥିଲା। ସେମାନଙ୍କ ମଧ୍ୟରରେ ୩୦ଜଣ ଛୋଟ ଶିଶୁ ଓ ମହିଳା ଥିଲେ। ଏହି ଡଙ୍ଗା ବୁଡ଼ି ଘଟଣାରେ ସାନ ନିପାଣିଆ ଗ୍ରାମର ବୁଦ୍ଧଦେବ ଗିରିଙ୍କ ଝିଅ ସବିତା ଗିରି, ଉତ୍ତମ ଗିରିଙ୍କ ଝିଅ ପୂର୍ଣ୍ଣିମା ଗିରି ଓ କିଛି ଗ୍ରାମବାସୀ ୩୫ଜଣଙ୍କୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.