କରୋନା ପୀଡତଙ୍କ ସେବାରେ ପାଳନ ହେବ ରାହୁଲଙ୍କ ଜନ୍ମଦିନ: କଂଗ୍ରେସ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଆସନ୍ତା୧୯ ତାରିଖରେ ପାଳିତ ହେବାକୁ ଯାଉଛି । ଗତବର୍ଷ ପରି ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ରାହୁଲ ତାଙ୍କର ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଣୁ ସମସ୍ତ କଂଗ୍ରେସ କର୍ମୀ ଓ ନେତାଙ୍କୁ କୌଣସି ବ୍ୟାନର, ପୋଷ୍ଟର ଓ ପ୍ଲାକାର୍‌ଡ ତିଆରି କରିବା କିମ୍ବା କେକ୍‌ କାଟିବାକୁ ସେ ବାରଣ କରିଛନ୍ତି । ବରଂ କରୋନା ଦ୍ୱିତୀୟ ଲହରରେ ପ୍ରଭାବିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଓ ପରିବାରବର୍ଗଙ୍କୁ ସେବା ଓ ସାହାଯ୍ୟ କରିବାକୁ ଶ୍ରୀ ଗାନ୍ଧୀ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାହୁଲଙ୍କ ଜନ୍ମଦିନରେ କରୋନା ପୀଡିତ ଓ ପରିବାରବର୍ଗଙ୍କୁ ମେଡିକାଲ କିଟ୍‌, ମାସ୍କ, ସାନିଟାଇଜର ଓ ରାସନ କିଟ୍‌ ପ୍ରଦାନ କରିବାକୁ ଏଆଇସିସି ପକ୍ଷରୁ ନିଷ୍ପତ୍ତି ହୋଇଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟି ମଧ୍ୟ କରୋନା ସଂକ୍ରମିତଙ୍କ ସେବା କରି ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ପାଳନ କରିବା ଲାଗି ନିଷ୍ପତ୍ତି ହୋଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ, ନଗର ଓ ପଞ୍ଚାୟତ ସ୍ତରରେ କଂଗ୍ରେସ ନେତା ଓ କର୍ମୀମାନେ ନିଜ ସାମର୍ଥ୍ୟ ମୁତାବକ ଏହି ଦିନ କୋଭିଡ-୧୯ରେ ପ୍ରଭାବିତ ବ୍ୟକ୍ତି ଓ ପରିବାରବର୍ଗଙ୍କୁ ସାହାଯ୍ୟ କରିବାକୁ ସଭାପତି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ସେମାନେ କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ କରୋନା ଆକ୍ରାନ୍ତ ଓ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଖରେ ପହଞ୍ଚି ସେମାନଙ୍କର ଦୁଃଖ ସମୟରେ ଛିଡା ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.