ଓଡ଼ିଶା ଫାଷ୍ଟ(ବ୍ୟୁରୋ):୩ଟି କୃଷି ଆଇନକୁ ବିରୋଧ କରି ପ୍ରାୟ ଏକ ମାସ ହେବ ଚାଷୀମାନଙ୍କର ଆନ୍ଦୋଳନ ଜାରି ରହିଛି। ଦିନିକୁ ଦିନ ଏହି ଆନ୍ଦୋଳନ ତୀବ୍ର ରୂପ ନେଉଥିବା ବେଳେ ଆନ୍ଦୋଳନସ୍ଥଳରେ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାର ଆନ୍ଦୋଳନ ଶେଷ କରିବାକୁ ଉଦ୍ୟମ କରୁଥିବା ବେଳେ ଚାଷୀମାନେ କିନ୍ତୁ ପୂର୍ବ ଭଳି ଅମଙ୍ଗ ରହିଛନ୍ତି। ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ରାଷ୍ଟ୍ରପତି ଭବନ ଯାଏଁ ପଦଯାତ୍ରା କରିବେ ବୋଲି ଜଣାପଡ଼ିଛି।
ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୂର୍ବାହ୍ଣ ୧୦ଟା ୪୫ରେ ବିଜୟ ଛକ ଠାରୁ ରାଷ୍ଟ୍ରପତି ଭବନ ଯାଏଁ ପଦଯାତ୍ରା କରିବେ। ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ପାର୍ଟିର ଅନ୍ୟ ସାଂସଦ ମଧ୍ୟ ଅଂଶଗ୍ରହଣ କରିବେ।
ଏହା ପରେ ରାହୁଲ ଏବଂ ଅନ୍ୟ ବରିଷ୍ଠ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ଏବଂ ତାଙ୍କୁ ୨ କୋଟି ଦସ୍ତଖତ ସମ୍ବଳିତ ଏକ ସ୍ମାରକ ପତ୍ର ଦେବେ।
ଏହା ପୂର୍ବରୁ ଚାଷୀ ସଂଗଠନର ନେତାମାନେ ବୁଧବାର କହିଥିଲେ ଯେ, ପୁଣି ଥରେ ଆଲୋଚନା କରିବାକୁ ସରକାର ଆଗେଇ ଆସନ୍ତୁ। ଅନ୍ୟପଟରେ କୃଷିମନ୍ତ୍ରୀ କହିଛନ୍ତି, ସମସ୍ୟାର ସମାଧାନ ପର୍ଯ୍ୟନ୍ତ ପହଞ୍ଚିବାରେ ଆଲୋଚନା ହିଁ ହେଉଛି ଅନ୍ୟତମ ବଡ଼ ମାଧ୍ୟମ। ତିନି ଆଇନକୁ ନିଷ୍କ୍ରିୟ କରିବା ନେଇ ଚାଷୀମାନେ ଦାବି କରିଆସୁଛନ୍ତି। ଏହାକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ଏହା କେବେ ସରିବ, ତାହା ସ୍ପଷ୍ଟ ହୋଇପାରୁ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୬ଟି ରାଜ୍ୟର ଚାଷୀଙ୍କୁ ସମ୍ବୋଧନ କରିବେ। ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଭିଜ୍ଞତା ସମ୍ପର୍କରେ ଚାଷୀଙ୍କୁ କହିବେ।
