ଦିଲ୍ଲୀରେ ବର୍ଷା ବିତ୍ପାତ; ଧସିଗଲା ୪ ମହଲା କୋଠା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି। କରୋନାକୁ ନେଇ ଦିଲ୍ଲୀବାସୀ ହନ୍ତସନ୍ତ ହେଉଥିଲା ବେଳେ ସେମାନଙ୍କ ଉପରେ ଦାଉ ସାଜିଛି ପ୍ରବଳ ଲଗାଣ ବର୍ଷା। ପ୍ରବଳ ବର୍ଷା ଫଳରେ ଗୁରୁଗାଓଁରେ ଏକ ଚାରି ମହଲା ବିଶିଷ୍ଟ କୋଠାଘର ଭୁଶୁଡି ପଡିଛି। ଗୁରୁଗାଓଁର ସେକ୍ଟର ୪୬ରେ ଥିବା ଏହି କୋଠାଟି ଧସି ପଡିବା ପରେ ପ୍ରଶାସନିକ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ସେହି କୋଠାଘରେ ରହୁଥିବା ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ପୁଲିସ ସୂଚନା ଅନୁସାରେ ଗତ ବୁଧବାର ପ୍ରବଳ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ବିଲ୍ଡିଂଟି ଧସି ପଡିଥିଲା। ଅନ୍ୟପକ୍ଷରେ ପ୍ରବଳ ଲଗାଣ ବର୍ଷା କାରଣରୁ ଗୁରୁଗାଓଁର ବ୍ୟସ୍ତବହୁଳ ଇଫକୋ ଛକ ନିକଟରେ ଥିବା ଏକ ପ୍ରମୁଖ ରାସ୍ତା ମଧ୍ୟ ଦବି ଯାଇ ମାଟିଭିତରକୁ ପଶି ଯାଇଥିଲା। ତେବେ, ଏଥିରେ କେହି ମୃତାହତ ହୋଇନାହାଁନ୍ତି। ରାସ୍ତାରେ ବନ୍ୟା ପରିସ୍ଥିତି ଯୋଗୁଁ ବ୍ୟାପକ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଛି। ଉପରମାର୍କେଟ ଗଲଫ କୋର୍ସ ରୋଡରେ ଥିବା ଅଣ୍ଡରପାସ ନିକଟରେ ଯାନବାହନ ଚଳାଚଳ କରୁଥିବା ବେଳେ କେତେକ ଅଞ୍ଚଳରେ ଅଣ୍ଟାଏ ଉଚ୍ଚତାରେ ଜଳ ପ୍ରବାହିତ ହେଉଛି। ଜାତୀୟ ରାଜଧାନୀ ଏବଂ ଏହାର ଆଖପାଖ ଗୁରୁଗାଓଁ, ଫରିଦାବାଦ, ଗାଜିଆବାଦ, ନୋଏଡା ଏବଂ ଗ୍ରେଟର ନୋଏଡାରେ ମଙ୍ଗଳବାର ରାତିରୁ ପ୍ରବଳ ବର୍ଷା ଲାଗିରହିଛି।

Leave A Reply

Your email address will not be published.