ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ କିଛି ନେତା ଓ ମନ୍ତ୍ରୀ ନକ୍ସଲ ଏବଂ ଖଲିସ୍ତାନୀ ଆତଙ୍କବାଦୀ କହି ସମାଲୋଚନା କରୁଛନ୍ତି। ହେଲେ ଏହାକୁ ନାପସନ୍ଦ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଚାଷୀଙ୍କୁ ଏଭଳି ନକ୍ସଲ ଓ ଖଲିସ୍ତାନୀ କହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
ଏଥିସହ କୃଷି ଆଇନକୁ ନେଇ ଶ୍ରୀ ସିଂହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀ ଚାଷ ବିଷୟରେ କିଛି ଜାଣି ନଥିବା ମଧ୍ୟ ସେ କହିଛନ୍ତି। ଏକ ସ୍ୱତନ୍ତ୍ର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାଜନାଥ କହିଛନ୍ତି କି, ରାହୁଲଜୀ ମୋ ଠାରୁ ସାନ। ତାଙ୍କ ଠାରୁ ମୁଁ କୃଷି ବିଷୟରେ ଅଧିକ ଜାଣିଛି। ରାହୁଲ ଧନୀ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି। କିନ୍ତୁ ମୁଁ ଗୋଟିଏ ଚାଷୀ ପରିବାରରୁ ଜନ୍ମ ନେଇଛି। ମୁଁ ଗୋଟିଏ ଚାଷୀର ପୁଅ ଓ ଆମେ କେବେ ହେଲେ ଚାଷୀଙ୍କ ବିରୋଧରେ ନିଷ୍ପତ୍ତି ନେଇପାରିବୁ ନାହିଁ।
ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଗୋଟିଏ ଗରବି ମା’ର ପେଟରୁ ଜନ୍ମ ନେଇଛନ୍ତି। ମୁଁ ଏହା ଠାରୁ ଅଧିକ କିଛି କହିପାରିବି ନାହିଁ ବୋଲି ରାଜନାଥ କହିଛନ୍ତି। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୃଷି ଆଇନରେ ସଂସ୍କାର ଅଣାଯାଇଛି। ଚାଷୀମାନେ ପରୀକ୍ଷା ମୂଳକ ଭାବେ ଅତି କମରେ ଏହାକୁ ୨ ବର୍ଷ ପାଇଁ କାର୍ଯ୍ୟକାରୀ କରି ଦେଖନ୍ତୁ ବୋଲି ରାଜନାଥ କହିଛନ୍ତି।
ଏଥିସହିତ ରାଜନାଥ କହିଛନ୍ତି କି, ଚାଷୀଙ୍କୁ ଭ୍ରମିତ କରାଯାଇ ଆନ୍ଦୋଳନ କରିବାକୁ ଉସକା ଯାଉଛି। ଚାଷୀମାନେ ଆଲୋଚନାକୁ ଆସନ୍ତୁ। ସେମାନେ ଚାହିଁଲେ ଏକ୍ସପର୍ଟ ମାନଙ୍କୁ ମଧ୍ୟ ସାମିଲ କରିପାରିବେ। ସରକାର ଚାଷୀ ଆଇନର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।
ସେହିପରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ନକ୍ସଲ ଓ ଖଲିସ୍ତାନୀ କୁହାଯାଉଥିବା ପ୍ରସଙ୍ଗରେ ସେ କହିଛନ୍ତି, ଚାଷୀଙ୍କ ବିରୋଧରେ ଏଭଳି ଶବ୍ଦ କେହି ବି ପ୍ରୟୋଗ କରିବା କଥା ନୁହେଁ। ଆମେ ଆମର ଚାଷୀଙ୍କୁ ଗଭୀର ସମ୍ମାନ ଜଣାଉଛୁ। ଚାଷୀଙ୍କ ଆଗରେ ଆମେ ମୁଣ୍ଡ ନୁଆଁଉଛୁ। ସେମାନେ ଆମର ଅନ୍ନଦାତା। ଅର୍ଥନୀତିକ ରିସେସନ ଭିତରେ ଚାଷୀମାନେ ହିଁ ଦାୟିତ୍ୱ ନେଇ ସମସ୍ୟାରୁ ଦେଶକୁ ମୁକୁଳାଇ ପାରିବେ। ସେମାନେ ଅର୍ଥନୀତିର ମେରୁଦଣ୍ଡ। ଅନେକ ଥର ସେମାନେ ଦେଶକୁ ସମସ୍ୟାର ଗୋଳିଆ ପାଣିରୁ ଉଦ୍ଧାର କରିଛନ୍ତି। ତେଣୁ ଚାଷୀଙ୍କୁ ଅସମ୍ମାନ କରିବାର ଅଧିକାର କାହାର ନାହିଁ ବୋଲି ସେ କହିଛନ୍ତି।
