ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କଲେ ଥାନା ଅଧିକାରୀ। ମହିଳା ଜଣକ ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ସେଠାରେ ବଳାତ୍କାରର ଶିକାର ହୋଇଛନ୍ତି। ଜଣେ ପୁଲିସ ଅଧିକାରୀ ପୀଡ଼ିତାଙ୍କୁ ନିଜ ପ୍ରକୋଷ୍ଠରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଶାହାଜହାନପୁର ଅନ୍ତର୍ଗତ ଜଲାଲାବାଦ ଥାନାରେ। ଏ ସମ୍ପର୍କରେ ପୀଡ଼ିତା ଅତିରିକ୍ତ ପୁଲିସ ମହାନିର୍ଦେଶକ (ଏଡିଜି) ଅବିନାଶ ଚନ୍ଦ୍ରଙ୍କ ନିକଟରେ ଅଭିଯୋଗ କରିବା ପରେ ଏଡିଜି ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଜଲାଲାବାଦ ଥାନା ଅଞ୍ଚଳର ୩୫ ବର୍ଷୀୟା ମହିଳା ଅଭିଯୋଗ କରିଛନ୍ତି ଯେ, ସେ ଗତ ନଭେମ୍ବର ୩୦ରେ ଚାଲି ଚାଲି ମଦନପୁର ଯାଉଥିଲେ। ବାଟରେ ଏକ କାରରେ ଯାଉଥିବା ୫ ଯୁବକ ତାଙ୍କୁ ଜବରଦସ୍ତ ସେଠାରୁ ଉଠାଇ ନେଇଥିଲେ। ତାଙ୍କୁ ନିକଟରେ ଥିବା ଏକ କ୍ଷେତକୁ ନେଇ ସେଠାରେ ଗଣଦୁଷ୍କର୍ମ କରିଥିଲେ।
ଏ ନେଇ ସେ ଅଭିଯୋଗ କରିବା ଲାଗି ଜଲାଲାବାଦ ଥାନାକୁ ଯାଇଥିଲେ। ଥାନାରେ ଉପସ୍ଥିତ ଜଣେ ପୁଲିସ ଅଧିକାରୀ ତାଙ୍କୁ ନିଜ ପ୍ରକୋଷ୍ଠକୁ ଡକାଇଥିଲେ। ପରେ ଉକ୍ତ ପ୍ରକୋଷ୍ଠରେ ପୁଲିସ ଅଧିକାରୀ ଜଣକ ତାଙ୍କୁ ଦୁଷ୍କର୍ମ କରିଥିଲେ।