ଓଡ଼ିଶା ଫାଷ୍ଟ(ବ୍ୟୁରୋ):“ସରକାର ଲୋକଙ୍କ ସେବା ପାଇଁ କି ଆମ୍ବୁଲାନ୍ସ ଦେଇଛି, ଯେଉଁଥିରେ ରୋଗୀ ହସ୍ପିଟାଲ ଯାଇପାରୁନାହାନ୍ତି। ଜିଲ୍ଲାରେ କେଉଁଠି ରାସ୍ତା ଅଛି ତ ଆମ୍ବୁଲାନ୍ସ ନାହିଁ ପୁଣି କେଉଁଠି ଆମ୍ବୁଲାନ୍ସ ଅଛି ତ ରାସ୍ତା ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ୍ ଡିମିରିଗୁଡା ପଞ୍ଚାୟତର ଉଚେତପାରୁ ଗାଁରେ। ଏହି ଗାଁର ୭ ବର୍ଷର ଝିଅ ତ୍ରିପ୍ତୀ ଉର୍ଲିକିଆଙ୍କ ଭୀଷଣ ପେଟ ଯନ୍ତ୍ରଣା ହେବାରୁ ଡାକ୍ତରଖାନା ନେବା ପାଇଁ ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ଆମ୍ବୁଲାନ୍ସଟି ଅମ୍ବ।ଦୋଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବାହାରିଥିଲା ରୋଗୀକୁ ଆଣିବା ପାଇଁ। ହେଲେ ଘାଟି ରାସ୍ତା ସହ ଆମ୍ବୁଲାନ୍ସରେ ଯାନ୍ତ୍ରିକ ତୃଟି ଦେଖା ଯିବାରୁ ଆମ୍ବୁଲାନ୍ସଟି ଘାଟି ପାର ହୋଇପାରିନଥିଲା।
ପେଟ ଯନ୍ତ୍ରଣାରେ ଛଟପଟ ୭ ବର୍ଷର ଝିଅ ତ୍ରିପ୍ତୀ ଉର୍ଲିକିଆଙ୍କୁ ବାଧ୍ୟ ହୋଇ ପରିବାର ଲୋକେ ଆମ୍ବୁଲାନ୍ସ ଷ୍ଟାଫ ସହାୟତାରେ ଷ୍ଟ୍ରେଚରରେ ୧୦ କି.ମି. ବୋହି ଆଣିଥିଲେ। ପରେ ତାଙ୍କୁ ଅମ୍ବାଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ ଚିକିତ୍ସା ପରେ ସେ ଏବେ ସୁସ୍ଥ ଅଛନ୍ତି। ଅନେକ ସମୟରେ ଅମ୍ବାଦୋଳା ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସ ରାସ୍ତା ମଝିରେ ଖରାପ ହୋଇଯାଉଛି। ଏନେଇ ରୋଗୀ ହଇରାଣ ହରକତ ହେଉଛନ୍ତି। ତୁରନ୍ତ ହସ୍ପିଟାଲକୁ ନୂଆ ଆମ୍ବୁଲାନ୍ସ ଯୋଗାଇ ବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
