ଗଜପତି ଜିଲ୍ଲାର କୋଭିଡ଼ ପରିଚାଳନା ଓ ସାମାଜିକସ୍ଥିତି ସମୀକ୍ଷା କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ନିଜ କାୟା ବିସ୍ତାର କରିଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ସୋମବାର ଗଜପତି ଜିଲ୍ଲାରେ କୋଭିଡ ମୁକାବିଲାର ସମୀକ୍ଷା କରିଛନ୍ତି । ସେହିପରି ଜିଲ୍ଲାରେ କୋଭିଡ ପରିଚାଳନା, ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସାମାଜିକସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀଦସବର୍ମା ଆଲୋଚନା କରିଛନ୍ତି ।

ଗଜପତି ଜିଲ୍ଲାରେ ସରକାରୀ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉଛି ନା ନାହିଁ ସେ ନେଇ ସମୀକ୍ଷା କରିଥିବାବେଳେ ନରେଗା ଯୋଜନାରେ ଲୋକମାନେ କରୁଥିବା କାର୍ଯ୍ୟର ସମୀକ୍ଷା ହୋଇଥିଲା । ଏହା ସହିତ ଡିଆରଡିଏ ଓ ଲାଇନ ଡିପାର୍ଟମେଣ୍ଟକୁ ଦିଆଯାଇଥିବା ଟାର୍ଗେଟ ପୂରଣ କରିବାକୁ ଶ୍ରୀ ଦାସବର୍ମା କହିଥିଲେ । ସେହିପରି ଗ୍ରାମୀଣ ଅଞ୍ଚଳରେ ସବୁ ଯୋଗ୍ୟହିତାଧିକାରୀ କିପରି ପକ୍କା ଘର ପାଇପାରିବେ, ସେ ନେଇ ପିଡି ଡିଆରଡିଏକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅପରପକ୍ଷରେ ଜିଲ୍ଲାର ଆଦିବାସୀ ଅଧ୍ୟୁଷୀତ ଅଞ୍ଚଳରେ ଉଦ୍ୟାନ କୃଷୀର ବିକାଶ ପାଇଁ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଯେପରି କୌଣସି ହିତାଧିକାରୀ ରାସନକାର୍ଡ ପାଇବାରୁ ବଞ୍ଚିତ ନରୁହନ୍ତି, ସେ ନେଇ ସିଏସଓଙ୍କୁ କୁହାଯାଇଥିଲା । ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପ୍ୟାକେଜ ସବୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ଅଧିକାରୀମାନଙ୍କୁ କହିଥିଲେ । ପ୍ରବାସୀ ଶ୍ରମିକମାନଙ୍କର ଏକ ଡାଟାବେସ ତିଆରି କରି ସେମାନଙ୍କୁ ଜବ କାର୍ଡ ଯୋଗାଇ ଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ସେହିପରି ଏସଏଚଜି ଗୁପ ଦ୍ୱାରା ହେଉଥିବା କାର୍ଯ୍ୟର ସମୀକ୍ଷା କରାଯିବା ସହ ଜିଲ୍ଲାରେ ମହିଳାମାନେ କୋଭିଡ଼ ପାଇଁ ୪ଲକ୍ଷ ମାସ୍କ ତିଆରି କରି ଯୋଗାଥିବା ସ୍ପଷ୍ଟ ହୋଇଥିଲା । ତେବେ ଏହି କାର୍ଯ୍ୟ କିପରି ଆଗକୁ ବଢିବ, ସିଆଇଏଫ ଓ ଭିଆରଏଫ ଅଧିନରେ ଯେଉଁ ଫାଣ୍ଠି ପ୍ରଦାନ କରାଯାଇଛି, ତାକୁ ମହିଳାମାନଙ୍କୁ ଯୋଗାଇ ଦେବାକୁ ଡିପିଏମ ଓ ଓଏଲଏମର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ପାରଳାଖେମୁଣ୍ଡିରୁ ବ୍ରହ୍ମପୁର ପର୍ଯ୍ୟନ୍ତ ୧୮ କିଲୋମିଟର ବର୍ଖାତ ପାସ ରାସ୍ତା କାମ ଅଗ୍ରଗତି କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଏହି ରାସ୍ତା ଶେଷହେବା ଦ୍ୱାରା ମହେନ୍ଦ୍ରଗିରିକୁ ଏକ ନୂଆ ରାସ୍ତା ଖୋଲିବ । ଫଳରେ ପର୍ଯ୍ୟଟନର ବିକାଶ ହୋଇପାରିବ । ସେହିପରି ଗଜପତି ଜିଲ୍ଲାରେ ଆକ୍ଟିଭ ସର୍ଭେଲାନ୍ସ ପାଇଁ ଏକ ହଜାର ପଲ୍ସ ଅକ୍ସିମିଟର ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅନୁରୋଧ କରିଥିଲେ । ସେହିପରି ଜିଲ୍ଲାରେ ବାକି ରହିଥିବା ଡ୍ରେନେଜ ଓ ସ୍ୱରେଜ କାମକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲା ସମ୍ମାଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଅନୁପମ ଶାହା, ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ, ପିଡି ଡିଆରଏ ମହେଶ ଚୌଧୁରୀ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.