ମେ ୨୯ ରୁ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପର କାମ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ପୁରୀ ଓ ଭୁବନେଶ୍ୱରର ୨ଟି ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ପ୍ରକଳ୍ପ ଯଥା – ଶ୍ରୀ ଜଗନ୍ନାଥ ମନ୍ଦିର ଐତିହ୍ୟ ପ୍ରକଳ୍ପ ଏବଂ ଶ୍ରୀ ଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି ।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁରୀ ଓ ଭୁବନେଶ୍ୱରର ଏହି ୨ଟି ପ୍ରକଳ୍ପ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ଭାବରେ ଗୁରୁତ୍ୱପୂର୍ଣ୍ଣ । ଲକ୍‌ ଡାଉନ୍‌ ଯୋଗୁଁ ଏହି କାମ ୨ମାସ ଧରି ବନ୍ଦ ରହିଥିଲା । ତେବେ ଏହି କାର୍ଯ୍ୟକୁ ମଇ ୨୯ତାରିଖ ଠାରୁ ପୁନର୍ବାର ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ ଗାଇଡ୍‌ ଲାଇନ୍‌ଗୁଡ଼ିକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବୈଠକରୁ ଜଣାଯାଇଛି ଯେ, ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ୍‌ କମ୍ପ୍ଳେକ୍ସ ଏବଂ ମୂଷା ନଦୀର ସମ୍ପ୍ରସାରଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି । ଆଉ ଅଳ୍ପ ଜମିର ଅଧିଗ୍ରହଣ ବାକି ରହିଛି । ଏହା ଖୁବ୍‌ ଶୀଘ୍ର, ପ୍ରାୟ ୨-୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏହାସହିତ ଶ୍ରୀଜଗନ୍ନାଥ ହେରିଟେଜ୍‌ କରିଡର, ବଡ଼ଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଲ୍ଡିଂର ପୁନର୍ବିକାଶ ପ୍ରକଳ୍ପ, ଜଗନ୍ନାଥ ସଂସ୍କୃତି କେନ୍ଦ୍ର ଆଦି ପ୍ରକଳ୍ପ ପାଇଁ ଡିଜାଇନ୍‌ ପ୍ରସ୍ତୁତ କରାଯାଉଛି ।

ସେହିପରି ଲିଙ୍ଗରାଜ ମନ୍ଦିର ପ୍ରକଳ୍ପର ମଧ୍ୟ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି । ଜମି ଅଧିଗ୍ରହଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଶେଷ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ମନ୍ଦିର ଓ ବିନ୍ଦୁସାଗର ମଧ୍ୟବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରାଯିବ । ଏଥିପାଇଁ ଯୋଜନା ଓ ଡିଜାଇନ୍‌ କାର୍ଯ୍ୟର ପ୍ରସ୍ତୁତି ଚାଲିଛି । ବିନ୍ଦୁସାଗର ଓ ଅନ୍ୟାନ୍ୟ ତୀର୍ଥ ପୁଷ୍କରିଣୀର ଜଳକୁ ନୂତନ ବୈଷୟିକ ଜ୍ଞାନ ସହାୟତାରେ ସ୍ୱଚ୍ଛ କରିବା ଓ ଏହାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଭାରତ ସରକାରଙ୍କ Indian Chemical Institute ସହିତ ଖୁବ୍‌ ଶୀଘ୍ର ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ ବୋଲି ବୈଠକରୁ ଜଣାଯାଇଛି ।

ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି), ପୂର୍ତ୍ତ ସଚିବ, ପୁରୀ ଜିଲ୍ଲାପାଳ ଆଦି ଯୋଗ ଦେଇଥିଲେ ।

Leave A Reply

Your email address will not be published.