ଅଲୋଡାକୁ କୋଳେଇଲେ ନବୀନ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ୨୦୧୯ ନିର୍ବାଚନ ପୂର୍ବରୁ ଦଳର ଅସନ୍ତୁଷ୍ଟ ନେତାଙ୍କ ଥଇଥାନ କରିବାରେ ବ୍ୟସ୍ତ ନବୀନ ପଟ୍ଟନାୟକ।ଦୀର୍ଘ ୬ବର୍ଷ ଦଳଠାରୁ ଦୁରେଇ ରଖିଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଙ୍କୁ ଉପସଭାପତି କରି ଅପଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱସ୍ତ ଥିବା ରଘୁନାଥ ମହାନ୍ତି ଶିଳ୍ପ, ଖଣି ଓ ସଂସଦୀୟ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ମାତ୍ର ୨୦୧୩ ମାର୍ଚ୍ଚ ମାସରେ ବୋହୁ ବର୍ଷାସୋନି ଚୌଧୁରୀ ତାଙ୍କ ବିରୋଧରେ ଆଣିଥିବା ଯୌତୁକ ନିର୍ଯାତନା ଅଭିଯୋଗରରେ ଫସିଯାଇଥିଲେ ସେ ।

ରଘୁ ଓ ତାଙ୍କ ପତ୍ନୀ ପରବର୍ତ୍ତୀ ସମୟରେ କୋଲକତାରୁ ଗିରଫ ହୋଇଥିଲେ । ତେବେ ଏହି ମାମଲାରେ ରଘୁଙ୍କ ମନ୍ତ୍ରୀ ପଦ ଚାଲିଯିବା ସହ ଦଳର ଉପସଭାପତି ପଦରୁ ବିଦା ହୋଇଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିଲେ ଏହି ପାଞ୍ଚ ଥରର ବିଧାୟକ । ଦଳରେ ଥାଇ ମଧ୍ୟ ରଘୁ ଏକଦମ୍ ଅଲୋଡ଼ା ହୋଇପଡ଼ିଥିଲେ ।

ଗତବର୍ଷ ଜୁନ୍ ୧୯ ତାରିଖରେ ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କ ସହ ରଘୁଙ୍କୁ ହଠାତ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଦଳ ପାଇଁ କାର୍ଯ୍ୟ କରିବାକୁ ନବୀନ ତାଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେଭଳି କିଛି ଦେଖିବାକୁ ମିଳିଲାନି । ରଘୁଙ୍କୁ କୌଣସି ଦଳୀୟ ଦାୟିତ୍ୱ ମିଳିଲା ନାହିଁ । ଫଳରେ ଅସନ୍ତୁଷ୍ଟ ହୋଇପଡ଼ିଥିଲେ ରଘୁ ।

ବିଜେପିରେ ସେ ମିଶୁଥିବା ନେଇ ଜୋର୍ ଚର୍ଚ୍ଚା ହୋଇଥିଲା । ମାତ୍ର ଆଜି ତାଙ୍କର ପୁରୁଣା ‘ଉପସଭାପତି’ ଦାୟିତ୍ୱ ସହ ଢ଼େଙ୍କାନାଳ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ଦେଇଛନ୍ତି । ଅର୍ଥାତ୍ ଦାମୋଦର ରାଉତଙ୍କ ହାତରେ ଥିବା ପୂର୍ବ ସାଂଗଠନିକ କ୍ଷମତା ମିଳିଛି ରଘୁଙ୍କୁ । ଏଥିସହ ସେ ବିଜେପିରେ ମିଶୁଥିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି ।

Leave A Reply

Your email address will not be published.