ବିଶ୍ୱ କଲ୍ୟାଣ ନିମନ୍ତେ ନାଗରିକ ସୃଷ୍ଟି କରିବା ହିଁ ମୂଳ ଲକ୍ଷ୍ୟ: ସୋଆ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ଏକ ନମ୍ର ଅୟମାରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ସୋଆ ନାମରେ ବେଶ ପରିଚିତ ହୋଇଥିବା ଏହି ଡିମ୍‌ଡ ବିଶ୍ୱବିଦ୍ୟାଳୟ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷ ନିମନ୍ତେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି ।
ଉଚ୍ଚ ଶିକ୍ଷା କ୍ଷେତ୍ରରେ ସୋଆରେ ଶିକ୍ଷିତ ହୋଇଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରିଛନ୍ତି । ନିଜ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୋଆର ମନ୍ତ୍ର ହେଉଛି ‘କେବଳ ଚାକିରି ଖଣ୍ଡେ ପାଇବା ପାଇଁ ଡିଗ୍ରୀ ଆହରଣ କର ନାହିଁ ବରଂ ଜ୍ଞାନ ଆହରଣ କରି ସମାଜକୁ ଉଚିତ୍ ପଥରେ ଆଗେଇ ନେବାକୁ ସାହାଯ୍ୟ କର ।’
ଓଡ଼ିଶାରେ ଉଚ୍ଚକୋଟୀର ବୈଷୟିକ ଶିକ୍ଷା ପ୍ରଦାନ ନେଇ ଜଣେ ଶିକ୍ଷକଙ୍କର ସ୍ୱପ୍ନ ଓ ପରିକଳ୍ପନାର ସଫଳ ରୂପାୟନ ହେଉଛି ସୋଆ । ପ୍ରଫେସର ମନୋଜରଞ୍ଜନ ନାୟକ ଯିଏକି ଓଡ଼ିଶାର ଯୁବକଯୁବତୀମାନଙ୍କୁ ଉତମ ବୈଷୟିକ ଶିକ୍ଷାପ୍ରଦାନ ନେଇ ସ୍ୱପ୍ନ ଦେଖିଥିଲେ ସେ ନିଜେ ଜଣେ ବିଚକ୍ଷଣ ଛାତ୍ର ଥିଲେ । ରାଉରକେଲାର ରିଜିଓନାଲ୍ ଇଞ୍ଜିନିୟରିଂ କଲେଜରୁ ବିଟେକ୍ ଓ ପରେ ପ୍ରତିଷ୍ଠିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଖଡଗପୁରରୁ ଏମ୍‌.ଟେକ୍ କରିଥିବା ପ୍ରଫେସର ନାୟକ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଲାଭ କରିଥିଲେ।
ତାଙ୍କରି ପ୍ରଚେଷ୍ଟା ବଳରେ ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ସୋଆକୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ (ୟୁଜିସି) ଆକ୍ଟର ଧାରା ୩ , ୧୯୫୬ ଆଧାରରେ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ମିଳିଥିଲା । ସେବେଠାରୁ ହିଁ ଏକ ବୃତିଗତ ଶିକ୍ଷା ପ୍ରୟୋଗଶାଳା ଏବଂ ଗବେଷଣାର ଉତ୍ସ ଭାବେ ସୋଆ ଆଗକୁ ବଢ଼ି ଚାଲିଛି । ଭାରତ ସମେତ ୬ଟି ଦେଶର ପ୍ରାୟ ୧୨୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସୋଆକୁ ନିଜର ଭବିଷ୍ୟତ ଗଢ଼ିବା ପାଇଁ ମନୋନୀତ କରିଛନ୍ତି ।
ମାତ୍ର ୧୩ ବର୍ଷରେ ହିଁ ଏହି ଡିମ୍‌ଡ ବିଶ୍ୱବିଦ୍ୟାଳୟଟି ବିଗତ ୫ ବର୍ଷ ଧରି କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଚଳିତ ବର୍ଷ ୨୦ତମ ସ୍ଥାନ ହାସଲ କରି ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜ ସ୍ଥାନ ହାସଲ କରିବା ସହ ଓଡ଼ିଶାରେ ଶୀର୍ଷତମ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି । ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିସନ୍ କାଉନ୍‌ସିଲ୍ (ନାକ୍‌) ସୋଆକୁ ସର୍ବୋଚ୍ଚ ଗ୍ରେଡ୍‌ରେ ରି-ଆକ୍ରେଡିଟେଟ୍ କରିଥିବା ବେଳେ ଏହାର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଫ୍ୟାକଲ୍ଟି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)କୁ ଆମେରିକାର ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମାନ୍ୟତା ପ୍ରଦାନକାରୀ ସଂସ୍ଥା ଆକ୍ରେଡିସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌) ଦ୍ୱାରା ଆକ୍ରେଡିଟେସନ୍ ମିଳିଛି । ସୋଆର ଇଞ୍ଜିନିୟରିଂ ଆଣ୍ଡ ଟେକେ୍‌୍‌ାଲୋଜି ଫ୍ୟାକଲ୍ଟି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଏନ୍‌ଆଇଆର୍‌ଏଫ୍‌-୨୦୨୦ ର‌୍ୟାଙ୍କିଙ୍ଗ୍‌ରେ ଇଞ୍ଜିନିୟରିଂ କ୍ୟାଟେଗୋରୀରେ ଦେଶରେ ୩୪ତମ ସ୍ଥାନ ହାସଲ କରିଛି । ସେହିପରି ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସୋଆ ନିଜର ସ୍ଥିତି ଜାହିର କରିଛି । ଟାଇମ୍ସ ହାୟର ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ସୋଆ ସ୍ଥାନୀତ ହୋଇପାରିଛି ।
ସେହିପରି ଚଳିତବର୍ଷ ଏନଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ରେ ସୋଆର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶରେ ୨୩ ତମ ସ୍ଥାନ ହାସଲ କରିଛି । ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍ ତାଲିକାରେ ଦେଶର ୯ଟି ମେଡିକାଲ୍ କଲେଜ ମଧ୍ୟରେ ଆଇଏମ୍‌ଏସ୍ ମଧ୍ୟ ନିଜ ସ୍ଥାନ ହାସଲ କରିବାରେ ସଫଳ ହୋଇପାରିଛି । ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ , ପ୍ରଥମ ଥର ପାଇଁ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ପ୍ରବେଶ କରିଥିବା ବେଳେ ଦେଶରେ ୧୨ତମ ସ୍ଥାନ ହାସଲ କରିଛି । ୧୬୦୦ ଶଯ୍ୟା ବିଶିଷ୍ଟ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କରୋନା ମହାମାରୀକୁ ପ୍ରତିହିତ କରିବା ନିମନ୍ତେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର ମେଡିକାଲ୍ ରିସର୍ଚ୍ଚ (ଆର୍‌ସିଏମ୍‌ଆର୍‌) ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ବହୁ ପ୍ରତିକ୍ଷୀତ ଭାକ୍ସିନ୍‌ର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ମନୋନୀତ କରାଯାଇଛି ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମ୍ ହସ୍ପିଟାଲ୍ ପୂର୍ବାଂଚଳରେ ଏକ ପସନ୍ଦ ଯୋଗ୍ୟ ହସ୍ପିଟାଲ୍ ଭାବେ ପରିଗଣିତ । ଓଡ଼ିଶାରେ ସଫଳତାର ସହ ବୋନ୍ ମ୍ୟାରୋ ପ୍ରତ୍ୟାରୋପଣ ଏବଂ ଲାଇଭ୍ ଡୋନ୍‌ର ଲିଭର ପ୍ରତ୍ୟାରୋପଣ କରିବାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ପ୍ରଥମ ଡାକ୍ତରଖାନା । ଅତ୍ୟାଧୁନିକ ପରୀକ୍ଷା, ସର୍ଜିକାଲ୍ ଏବଂ ଜୀବନ ରକ୍ଷାକାରୀ ସରଞ୍ଜାମ ସମ୍ବଳିତ ଏହି ହସ୍ପିଟାଲ୍‌ରେ ଖୁବ୍ ସୁଲଭ ମୁଲ୍ୟରେ ରୋଗୀମାନଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯାଇଥାଏ । ଭାରତ ସମେତ ସାରା ବିଶ୍ୱ କୋଭିଡ-୧୯ ମହାମାରୀ ସହ ଯୁଦ୍ଧ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ସହ ହାତ ମିଳାଇ ସୋଆ ମଧ୍ୟ ଏହି ଯୁଦ୍ଧରେ ସାମିଲ ହୋଇଛି ।

ସୋଆ ପକ୍ଷରୁ ତିନୋଟି କୋଭିଡ-୧୯ ହସ୍ପିଟାଲ୍ ସ୍ଥାପନ କରାଯାଇଥିବା ବେଳେ ଦୁଇଟି କୋଭିଡ କେୟାର୍ ସେଂଟର ମଧ୍ୟ ଆରମ୍ଭ କରାଯାଇଛି । ଭୁବନେଶ୍ୱରରେ ଏକ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଏବଂ ତାଳଚେରରେ ୧୭୦ ଏବଂ ୧୫୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ ଷ୍ଟାଫ୍ ମାନେ ଏହି ହସ୍ପିଟାଲ୍‌ଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ସେହିପରି ସୋଆ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ଜାମୁଝରୀ ଏବଂ ଜଟଣୀରେ ମୋଟ ୮୦୦ ଯ୍ୟା ବିଶିଷ୍ଟ ଦୁଇଟି କୋଭିଡ କେୟାର ସେଂଟର ଆରମ୍ଭ କରାଯାଇଛି ।
ସୋଆର ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି, ମ୍ୟାନେଜମେଂଟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍‌, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ବାୟୋଟେକ୍ନୋଲୋଜି, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ ଏବଂ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଫ୍ୟାକଲ୍ଟି ଅଧିନରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍ ଓ ୭୧ଟି ପୋଷ୍ଟ ଗ୍ରାଜୁଏଟ୍‌, ୧୦ଟି ପୋଷ୍ଟ ମାଷ୍ଟର୍ସ, ପିଏଚ୍‌ଡି ଏବଂ ପୋଷ୍ଟ ଡକ୍ଟରାଲ୍ ପ୍ରୋଗ୍ରାମ କରାଯାଉଛି ।
ସୋଆର ଅନ୍ୟତମ ମୂଳଲକ୍ଷ୍ୟ ରହିଛି ଗବେଷଣା । ଏଥିପାଇଁ ୧୩ଟି ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ଏବଂ ୪୨ଟି ସ୍ୱତନ୍ତ୍ର ଗବେଷଣା ଲ୍ୟାବ ସ୍ଥାପନ କରାଯାଇଛି । ଏହି କେନ୍ଦ୍ରଗୁଡ଼ିକ ମଧ୍ୟରେ ରହିଛି ସେଂଟର୍ ଅଫ୍ ଏକ୍ସିଲେନ୍ସ ଇନ୍ ଥିଓରିଟିକାଲ୍ ଆଣ୍ଡ ମ୍ୟାଥମେଟିକାଲ୍ ସାଇନ୍‌ସେସ୍‌, ମଲ୍ଟି-ଡିସିପ୍ଲିନାରୀ ରିସର୍ଚ୍ଚ ସେଂଟର, ସେଂଟର ଫର୍ ନାନୋ ସାଇନ୍‌ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜି, ସେଂଟର ଫର୍ ଆପ୍ଲାଏଡ୍ ମ୍ୟାଥମେଟିକ୍ସ, ସେଂଟର ଫର୍ ରୁରାଲ୍ ଆଣ୍ଡ ଟ୍ରାଇବାଲ୍ ଡେଭଲପ୍‌ମେଂଟ, ସେଂଟର ଫର ରିପ୍ରଡକ୍ଟିଭ୍ ହେଲ୍‌ଥ, ନ୍ୟାସ୍‌ନାଲ୍ ଏମ୍‌ଇଏମ୍‌ଏସ୍ ଡିଜାଇନ୍ ସେଂଟର, ସେଂଟର୍ ଫର୍ ବାୟୋ – ଫୁଏଲ୍ ଆଣ୍ଡ ବାୟୋ ପ୍ରୋସେସିଙ୍ଗ୍ ଏବଂ ସେଂଟର ଫର୍ ଏନ୍‌ଭାଇରନ୍‌ମେଂଟ ଆଣ୍ଡ କ୍ଲାଇମେଟ୍ ।
ଏହି ଗବେଷଣା କେନ୍ଦ୍ରଗୁଡ଼ିକ ମଧ୍ୟରୁ ଅନେକ କେନ୍ଦ୍ରଗୁଡ଼ିକୁ ଡିପାର୍ଟମେଂଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଡିଏସ୍‌ଟି), ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲୋଜି (ଡିଓବି), ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ ଅର୍ଗାନାଇଜେସନ୍ (ଡିଆର୍‌ଡିଓ), ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ (ଏସ୍‌ଇଆର୍‌ବି), ଲାଇଫ୍ ସାଇନ୍ସ ରିସର୍ଚ୍ଚ ବୋର୍ଡ (ଏଲ୍‌ଏସ୍‌ଆର୍‌ବି) ଏବଂ କାଉନ୍‌ସିଲ୍ ଫର୍ ସାଇନ୍‌ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ପକ୍ଷରୁ ଗବେଷଣା ନିମନ୍ତେ ଅନୁଦାନ ପ୍ରଦାନ କରାଯାଇଥାଏ । ୩୮ଟି ଲ୍ୟାବ୍ ଏହି ଗବେଷଣାକେନ୍ଦ୍ର ଗୁଡ଼ିକ ସହିତ ଜଡିତ ରହିଛନ୍ତି । ସୋଆର ଫ୍ୟାକଲ୍ଟି ମେମ୍ବର୍ ଏବଂ ରିସର୍ଚ୍ଚ ସ୍କଲାରମାନଙ୍କର କାର୍ଯ୍ୟଗୁଡ଼ିକ ନିୟମିତ ଭାବେ ଆନ୍ତର୍ଜାତିକ ଜର୍ନାଲ୍‌ଗୁଡ଼ିକରେ ପ୍ରକାଶିତ ହୋଇଥାଏ ।
ବିଶ୍ୱବିଦ୍ୟାଳୟ ନାମରେ ୫୮୬୯ଟି ସ୍କୋପସ୍ ଇଣ୍ଡେକ୍ସ ପ୍ରକାଶନ ରହିଥିବା ବେଳେ ଏହାର ଏଚ୍‌-ଇଣ୍ଡେକ୍ସ ହେଉଛି ୬୯ । ସେହିପରି ସୋଆର ଗବେଷକମାନେ ୧୯୩ଟି ପାଟେଂଟ ନିମନ୍ତେ ଆବେଦନ କରିଥିବା ବେଳେ ୮୩ଟି ପ୍ରକାଶିତ ହୋଇଛି୧୭ଟି ପାଟେଂଟକୁ ଅନୁମୋଦନ ମିଳିଛି । ଏମାନଙ୍କ ମଧ୍ୟରେ ରହିଛି ସେଂଟର୍ ଫର୍ ନାନୋ ସାଇନ୍‌ସେସ୍ ଏବଂ ନାନୋ ଟେକ୍ନୋଲୋଜିର ୬ଟି ପାଟେଂଟ୍ । ଜାତୀୟ ଏବଂ ଆର୍ନ୍ତଜାତିକ ସ୍ତରର ସମ୍ମିଳନୀ ଆୟୋଜନ କରିବା ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୭୫୦ ଆସନ ବିଶିଷ୍ଟ କନ୍‌ଭେନ୍‌ସନ୍ ହଲ୍ ନିର୍ମାଣ କରାଯାଇଛି । ୧୨୭ ଏକର ଅଂଚଳରେ ୫ ଲକ୍ଷ ସ୍କୋୟାର୍ ମିଟର ଉପରେ ନିର୍ମିତ ସୋଆର କ୍ୟାମ୍ପସ୍ ପରିବ୍ୟାପ୍ତ ହୋଇଥିବା ବେଳେ ୨୧୨ଟି ଇ- କ୍ଲାସ୍‌ରୁମ୍ ଏବଂ ୩୪୦ ଟି ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟଗ୍ରାଜୁଏଟ୍ ଲାବୋରେଟୋରୀ ରହିଛି । ୧୧,୬୧୭ ସ୍କୋୟାର୍ ମିଟର ପର୍ଯ୍ୟବେସିତ ଗୋଟିଏ ସେଂଟ୍ରାଲ୍ ଲାଇବ୍ରେରୀ ରହିଥିବା ବେଳେ ୯ଟି ଇନ୍‌ଷ୍ଟିୁଚ୍ୟୁସ୍‌ନାଲ୍ ଏବଂ ୪୨ଟି ଡିପାର୍ଟମେଂଟାଲ୍ ଲାଇବ୍ରେରୀ ରହିଛି । ସବୁ କ୍ୟାମ୍ପସ୍‌ରେ ନେଟୱାର୍କ ସଂଯୋଗ ସହ ୱାଇଫାଇ ବ୍ୟବସ୍ଥା ଉପଲବ୍ଧ । ସମାଜ ସେବା କ୍ଷେତ୍ରରେ ମଧ୍ୟ ସୋଆ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ହାତକୁ ନେଇଛି । ବସ୍ତି ଅଂଚଳର ପିଲାମାନଙ୍କର ଯତ୍ନ ଏବଂ ସେମାନଙ୍କୁ ଶିକ୍ଷିତ କରିବା ଦିଗରେ ସୋଆର ସାମାଜିକ ଅନୁଷ୍ଠାନ ‘ଜାଗୋ’ ଅନେକ ପଦକ୍ଷେପ ଗ୍ରହଣ କରିଛି । କରୋନା ମହାମାରୀ ସମୟରେ ଭୁବନେଶ୍ୱର ଏବଂ ଆଖପାଖ ଅଂଚଳରେ ଦୈନିକ ୨୦ ହଜାର ଗରିବ ନିରାଶ୍ରୟ ଲୋକମାନଙ୍କୁ ଖାଦ୍ୟ, ମାସ୍କ ଏବଂ ସାନିଟାଇଜର ପ୍ରଭୃତି ସୋଆ ପକ୍ଷରୁ ପ୍ରଦାନ କରାଯାଇଛି ।
ସୋଆର ସ୍ୱପ୍ନ ରହିଛି ଅଗ୍ରଣୀ ଅନୁଷ୍ଠାନ ଭାବେ ଶିକ୍ଷାର ଉନ୍ନତି କ୍ଷେତ୍ରରେ ଅଧିକ ମନୋନିବେଶ କରିବା ଏବଂ ଆଗାମୀ ଭବିଷ୍ୟତଙ୍କୁ ଉନ୍ନତମାନର ଶିକ୍ଷା ଓ ନୂତନ ଧରଣର ଗବେଷଣା ପ୍ରତି ଆକୃଷ୍ଟ କରି ଦେଶରେ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପ୍ରତିଷ୍ଠିତ କରିବା। ମାତ୍ର ମୂଳ ଲକ୍ଷ୍ୟ ରହିଛି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷିତ କରାଇ ସେମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ଆଣିବା ଏବଂ ଉତମ ନାଗରିକ ଭାବେ ଗଢ଼ିତୋଳିବା । ଏହା ଦ୍ୱାରା ସାମାଜିକ ସ୍ଥିତି, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ପରିବର୍ତନ ସମ୍ଭବ ହୋଇପାରିବ ।

Leave A Reply

Your email address will not be published.