ଦାମଙ୍କ ଶକ୍ତି ପଛରେ ଅସନ୍ତୁଷ୍ଟ ଆଇ.ଏ.ଏସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କିଛି ମାସ ହେଲା ଡ଼ଃ ଦାମୋଦର ରାଉତ ନିଜ ପୂର୍ବତନ ଦଳ ବିଜେଡି କୁ ଶାଣିତ ଆକ୍ରମଣ କରି କ୍ଷତାକ୍ତ କରି ଆସୁଛନ୍ତି । ଦାମ ବାବୁଙ୍କ ଏଭଳି ଆକ୍ରମଣ ପଛର ଶକ୍ତି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ହସ୍ତଗତ ହୋଇଛି ଯାହାକି ବିଜେଡି ର ମୁଣ୍ଡ ବିନ୍ଧାର କାରଣ ହୋଇଛି । ନିର୍ଭର ଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ଶାସନରେ ଥିବା କିଛି ଅସନ୍ତୁଷ୍ଟ ଆଇ.ଏ.ଏସ ଅଫିସର କୁଆଡେ ଦାମଙ୍କୁ ଶକ୍ତି ସାମର୍ଥ୍ୟ ଯୋଗାଇ ଦେଉଛନ୍ତି । ଯାହାକି ସରକାର ଓ ଶାସକ ଦଳକୁ ଅକାଟ୍ୟ ଯୁକ୍ତି ରଖି ଆକ୍ରମଣ କରିବାରେ ଡ଼ଃ ଦାମୋଦର ରାଉତଙ୍କୁ ସହାୟକ ହେଉଛି ।

ନିକଟରେ ଏକ ଇଲେକଟ୍ରୋନିକ ମିଡିଆରେ ଦାମ ଧମକ ଦେବା ଶୈଳିରେ ଆଗକୁ ତାଙ୍କ ଆକ୍ରମଣ କୁ ଅଧିକ ତୀବ୍ର କରିବେ ବୋଲି କହି ଏହାକୁ ନବୀନ ସମ୍ଭାଳିବେ ତ ? ବୋଲି ପ୍ରଶ୍ନ କରିଥିଲେ । ଆଉ ତାଙ୍କର ଏହି ଦମ୍ଭ ପଛରେ ଉପରୋକ୍ତ ଅସନ୍ତୁଷ୍ଟ ଆଇ.ଏ.ଏସ ଗୋଷ୍ଠି ବୋଲି ଜଣାପଡିଛି । ତେବେ ବାହାରକୁ ଯେପରି କଥା ପ୍ରଘଟ ନହେବ ବାହାରେ ମଧ୍ୟ ସେମାନଙ୍କ ସମ୍ପୃକ୍ତି ନେଇ ଯେପରି କିଛି ପ୍ରମାଣ ନ ମିଳିବ ସେଥିପାଇଁ ଦାମଙ୍କ ଦପ୍ତର ସହ ସେମାନଙ୍କର ସମସ୍ତ ତଥ୍ୟ ଆଦାନ ପ୍ରଦାନ ସିଧାସଳଖ ନ ହୋଇ ଅନ୍ୟଜଣେ ବିରୋଧୀ ନେତା ଙ୍କ ଜରିଆରେ ହେଉଛି । ତାହା ପୁଣି ମେଲ ଜରିଆରେ । ସମ୍ପୃକ୍ତ ନେତା ତଥ୍ୟ କାଗଜପତ୍ର ପାଇବା ପରେ ଏହା ଦାମଙ୍କୁ ହସ୍ତାନ୍ତର ହେଉଛି ଓ ତାପରେ କମ୍ପୁଟର ରୁ ଡିଲିଟ କରି ଦିଆଯାଉଛି ।ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଯେଉଁ ମେଲ-ଆଇଡ଼ି ଏଥିପାଇଁ ବ୍ୟବହାର ହେଉଛି ତାହା ମଧ୍ୟ ଏକ ନକଲି ଆଇଡ଼ି ବୋଲି ଜଣାପଡିଛି । ସେ ଯାହା ହେଉନା କାହିଁକି ତୃତୀୟ ମହଲା ବିରୋଧି ଏହି ଅସନ୍ତୁଷ୍ଟ ଆଇ.ଏ.ଏସଙ୍କ ଉପରେ ନିୟନ୍ତ୍ରଣ ନ ରଖିଲେ ଆଗକୁ ଦଳ ଓ ସରକାରଙ୍କୁ ଦାମ ଅଧିକ ଅଡୁଆରେ ପକାଇବେ ବୋଲି ଘଟଣା ସମ୍ପର୍କରେ ଅବଗତ ଥିବା ଶାସକ ବିଜେଡି ର କିଛି ନେତା ନାମ ଗୋପନ ରଖିବା ସର୍ତ୍ତ ରେ କହିଛନ୍ତି ।

Leave A Reply

Your email address will not be published.