ସ୍ୱାସ୍ଥ୍ୟମନ୍ତ୍ରୀ ନବଙ୍କୁ ନେଇ ମାନସ ମନ୍ଥନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବଙ୍କୁ ନେଇ ଚାଲିଛି ମାନସ ମନ୍ଥନ । ‘କୋଭିଡ୍-୧୯’ ସାମଗ୍ରୀ କ୍ରୟ ଅନିୟମିତତା ରେ ବଳି ପଡିଯିବେକି ସ୍ୱାସ୍ଥ୍ୟମନ୍ତ୍ରୀ ବୋଲି ତୃତୀୟ ମହଲରେ ଟୁପୁର ଟାପୁର ହେଉଛନ୍ତି । ମାସ୍କ ଘୋଟାଲା ନେଇ ରାଜ୍ୟ ସରକାରଙ୍କ ଉପରୁ ଦୋଷ ଛଡ଼ାଇବାକୁ ଯାଇ ଅକଳରେ ଫସିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସରକାରୀ ଦସ୍ତାବିଜ ଓ ମନ୍ତ୍ରୀଙ୍କ କଥାରେ ତାଳମେଳ ରହୁ ନଥିବାରୁ ଫସି ଯାଇଛନ୍ତି ନବ । ମନ୍ତ୍ରୀ ଶ୍ରୀ ଦାସ କହିଥିଲେ, ମାସ୍କକୁ ପ୍ରଥମେ ୧୦ଟଙ୍କା ଓ ପରେ ୧୬ଟଙ୍କାରେ କିଣିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଥିଲା । ମାର୍ଚ୍ଚ ୨୧ ଓ ୨୪ତାରିଖରେ ଦୁଇଟି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମାସ୍କ କିଣା ହୋଇଛି। ଯାହାବି ହୋଇଛି କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ହୋଇଛି । ମାତ୍ର କେନ୍ଦ୍ର ସରକାରଙ୍କ ମାର୍ଚ୍ଚ ୨୧ତାରିଖ ନିର୍ଦ୍ଦେଶନାମାରେ କୁହାଯାଇଥିଲା, ଟୁ-ଲେୟାର ସର୍ଜିକାଲ ମାସ୍କର ଦାମ ୮ଟଙ୍କା ଓ ଥ୍ରୀ-ଲେୟାର ମାସ୍କର ଦାମ ୧୦ଟଙ୍କାରୁ ଅଧିକ ହେବ ନାହିଁ। ସେହିପରି ମାର୍ଚ୍ଚ ୨୪ତାରିଖ ନିର୍ଦ୍ଦେଶନାମାରେ ଥ୍ରୀ-ଲେୟାର ସର୍ଜିକାଲ ମାସ୍କ ପିଛା ରିଟେଲ୍ ଦାମ କୌଣସି ପରିସ୍ଥିତିରେ ୧୬ଟଙ୍କାରୁ ଅଧିକ ହେବ ନାହିଁ। ତେବେଏପ୍ରିଲ ୧୫ରେ ମାସ୍କ ପିଛା ୯.୯୦ଟଙ୍କା ଓ ଏପ୍ରିଲ ୧୭ରେ ମାସ୍କ ପିଛା ୧୬ଟଙ୍କାରେ କିଭଳି କ୍ରୟ କଲେ ତାକୁ ନେଇ ଉଠିଛି ପ୍ରଶ୍ନ ।

‘କୋଭିଡ୍-୧୯’ ମୁକାବିଲା ପାଇଁ ସାମଗ୍ରୀ କ୍ରୟରେ ଅନିୟମିତତା ହୋଇଥିବା ନେଇ ଅନେକ ଗୁମର ଫିଟିବା ପରେ ଏହି କାର୍ଯ୍ୟରେ ନିୟୋଜିତ ଥିବା ଆଇଏଏସ ହେମନ୍ତ ଶର୍ମାଙ୍କୁ ବଦଳି କରାଯିବା ସହ ଏହାର ପରିଚାଳନା ସହ ଜଡ଼ିତ ସମସ୍ତ ୧୦ଜଣ ଆଇଏଏସଙ୍କୁ ସେମାନଙ୍କ ବିଭାଗକୁ ଫେରାଇ ନିଆଯାଇଛି । ତେଣୁ ମନ୍ତ୍ରୀଙ୍କ ବୟାନ କୋଭିଡ ସାମଗ୍ରୀ କ୍ରୟରେ ଅନିୟମିତତା ଅଭିଯୋଗ ଆସିଥିବା ଅଫିସରଙ୍କୁ ଘଣ୍ଟ ଘୋଡ଼ାଇବାକୁ ଏକ ପ୍ରୟାସ ବୋଲି ଚର୍ଚ୍ଚା ଚାଲିଛି ।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ କୌଣସି ମନ୍ତ୍ରୀ ହୁଅନ୍ତୁ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ନାଁ ଦୁର୍ନୀତି ସହ ଜଡିତ ହେବା ମାତ୍ରେ ତୁରନ୍ତ ପଦକ୍ଷେପ ନିଅନ୍ତି । ଦେଖାଯାଉ ଏତେବଡ଼ ଦୁର୍ନୀତିର ଖୁଲାସା ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କି ପଦକ୍ଷେପ ନେଉଛନ୍ତି ଓ କିପରି ନିଜ ସ୍ୱଚ୍ଛ ଭାବମୂର୍ତି ବଜାୟ ରଖୁଛନ୍ତି ବୋଲି ବିରୋଧୀ ବିଜେପି ଏବଂ କଂଗ୍ରେସ ପକ୍ଷରୁ ବୟାନ ବାଜି ହେଉଥିବାର ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.