“ସକାଳ” ଓ “ନନ୍ଦିଘୋଷ ଟିଭି” ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ କର୍ମଶାଳା, “ମୁକ୍ତିର ଆନନ୍ଦ’ ଆଙ୍କିଲେ କାନ୍ଭାସ୍ରେ ଶିଳ୍ପୀ
କଳା ଈଶ୍ୱରଦତ୍ତ ଓ କାଳଜୟୀ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତିଟି କଳା ଈଶ୍ୱରଦତ୍ତ ଓ କାଳଜୟୀ । ପ୍ରତିଟି ଜିନିଷର କ୍ଷୟ ଅଛି; ହେଲେ କଳାର କେବଳ ବିକାଶ ଅଛି; ତାର ବିନାଶ ନାହିଁ । ଅବ୍ୟକ୍ତକୁ ଯିଏ ବ୍ୟକ୍ତ କରିପାରେ ସେ ହିଁ ଚିତ୍ରଶିଳ୍ପୀ, ସେ ହିଁ ଲେଖକ । ସୃଜନଶୀଳତାର କୌଣସି ମୃତ୍ୟୁ ନାହିଁ ବୋଲି ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦୈନିକ “ସକାଳ’ ଓ “ନନ୍ଦିଘୋଷ ଟିଭି’ ପକ୍ଷରୁ ଅନୁଷ୍ଠିତ “ମୁକ୍ତିର ଆନନ୍ଦ’ ଶୀର୍ଷକ ଚିତ୍ରଶିଳ୍ପୀ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ମତବ୍ୟକ୍ତ କରିଛନ୍ତି । ଶନିବାର “ନନ୍ଦିଘୋଷ ଟିଭି’ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଦିବସବ୍ୟାପୀ ଚିତ୍ରଶିଳ୍ପୀ କର୍ମଶାଳାକୁ ବିଭୁତି କାନୁନ୍ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଗଜେନ୍ଦ୍ର ପାଢ଼ୀ ଉଦଘାଟନ କରିଥିଲେ । ସନ୍ଧ୍ୟାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଲେ, ଅନେକ ସମୟରେ ଚିତ୍ରକଳାର ମର୍ମ ଆମେ ବୁଝିପାରି ନ ଥାଉ । ସବୁ ଚିତ୍ରକଳା ମର୍ମସ୍ପର୍ଶୀ ଓ ହୃଦୟସ୍ପର୍ଶୀ ହୋଇଛି । ଆଗାମୀ ଦିନରେ ଏହି ଚିତ୍ରକଳା ସମାଜକୁ ଦିଗଦର୍ଶନ ଦେବ । ଶିବିରରେ ସ୍ଥାନ ପାଇଥିବା ପ୍ରତ୍ୟେକଟି ଚିତ୍ର ଅତି ମନୋରମ ହୋଇଛି । ମୁକ୍ତି ସଂଗ୍ରାମର ପ୍ରତିଟି ଦିଗକୁ ସ୍ପର୍ଶ କରି ଶିଳ୍ପୀମାନେ ତାଙ୍କ କାନ୍ଭାସରେ ରଙ୍ଗତୂଳୀରେ ଉତାରିଛନ୍ତି ।
କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ କହିଲେ, ଅନେକ ସଂଘର୍ଷ ପରେ ଆମେ ସ୍ୱାଧୀନତା ପାଇଛୁ । ତେଣୁ ସ୍ୱାଧୀନତାକୁ ନେଇ ଆମର ଅହଂକାର । ଆମେ ସ୍ୱାଧୀନ ଭାବେ ଜନ୍ମ ହୋଇଥାଉ, ସ୍ୱାଧୀନତା ପ୍ରତ୍ୟେକ ମଣିଷର ଅଧିକାର । ସ୍ୱାଧୀନତାରେ ରହିଛି ମୁକ୍ତିର ଆନନ୍ଦ । ଏ ଆନନ୍ଦ କେତେବେଳେ ଗୌତମ ବୁଦ୍ଧଙ୍କ ନିର୍ବାଣରେ ରହିଛି ତ ଆଉ କେତେବେଳେ ପଞ୍ଜୁରୀ ଭିତରୁ ପକ୍ଷୀର ମୁକ୍ତିରେ ରହିଛି । ପଡ଼ୋଶୀ ରାଷ୍ଟ୍ରରେ ଯେତେବେଳେ ଗଣତନ୍ତ୍ର ଭୁଷୁଡ଼ି ପଡୁଛି, ସେତେବେଳେ ଆମେ ଆମ ଦେଶରେ ସୁରକ୍ଷିତ ରହି ମୁକ୍ତିର ଆନନ୍ଦକୁ ଠିକ୍ ଭାବେ ହୃଦୟଙ୍ଗମ କରିପାରୁଛୁ । ମୁକ୍ତିର ଏହି ଧାରାକୁ ନେଇ ଆମେ ସାରା ବିଶ୍ୱରେ ଆଜି ବଳିଷ୍ଠ । ଚିତ୍ରଶିଳ୍ପୀମାନଙ୍କର ସୃଜନଶୀଳତାରେ “ମୁକ୍ତିର ଆନନ୍ଦ’ ଅତ୍ୟନ୍ତ ନିଆରା ହୋଇଛି । ସାରା ଭାରତ ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାଧୀନତାର ୭୫ତମ ପୂର୍ତ୍ତି ପାଳନ କରୁଥିବା ବେଳେ “ସକାଳ’ ଓ “ନନ୍ଦିଘୋଷ ଟିଭି’ର ଏହି ପ୍ରୟାସ ନିଶ୍ଚିତ ଭାବେ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ଶ୍ରୀ ସେଠୀ ମତବ୍ୟକ୍ତ କରିଛନ୍ତି । “ସକାଳ’ର ମୁଖ୍ୟ ସମ୍ପାଦକ ଉମାକାନ୍ତ ମିଶ୍ର ଅତିଥିଭାବେ ଯୋଗ ଦେଇ କହିଥିଲେ, ପ୍ରତ୍ୟେକଙ୍କ ମନରେ ସବୁଦିନ ପାଇଁ ଦେଶପ୍ରେମର ଭାବନା ରହିବା ଉଚିତ୍ । ସାଙ୍କେତିକ ଭାବରେ ହେଉ ଅବା ପ୍ରତୀକାତ୍ମକ ଭାବରେ ହେଉ, ଦିନଟିଏ ଜାତୀୟ ପତାକା ତଳେ ଛିଡ଼ା ହୋଇ ମଥାନତ ନକଲେ, ତାହା ଜାତୀୟତାର ଅଭାବ ଭାବେ ବିବେଚିତ ହୋଇଥାଏ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିବା ସହ କର୍ମଶାଳାରେ ସାମିଲ ହୋଇଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ପୂର୍ବାହ୍ନରେ ଉଦଘାଟନୀ ଉତ୍ସବରେ “ସକାଳ’ର ସିଇଓ ସୁବ୍ରତ ଦାସ, “ନନ୍ଦିଘୋଷ ଟିଭି’ର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସିଓଓ ଜବର ସିଂ ପନୱର, “ସକାଳ’ର ପ୍ରକାଶକ ଅମିତ୍ ମଲ୍ଲିକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦେଇଥିଲେ । କର୍ମଶାଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୧ଜଣ ଖ୍ୟାତନାମା ଚିତ୍ରଶିଳ୍ପୀ ଯୋଗଦେଇ ଚିତ୍ରରେ ଚିତ୍ରରେ ସ୍ୱାଧୀନତା ପରର ମୁକ୍ତି ଓ ଆନନ୍ଦର ଅନୁଭୂତିକୁ କାନଭାସରେ ଆଙ୍କିଥିଲେ । ଚିତ୍ରଶିଳ୍ପୀ ତଥା ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ସମସ୍ତ ଶିଳ୍ପୀଙ୍କୁ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । “ନନ୍ଦିଘୋଷ ଟିଭି’ର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଉତ୍ତରୀୟ ଓ ଉପଢୌକନ ପ୍ରଦାନପୂର୍ବକ ଅତିଥିମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ “ସକାଳ’ ଓ “ନନ୍ଦିଘୋଷ ଟିଭି’ର କର୍ମକର୍ତ୍ତା ଓ କର୍ମଚାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।