ପାକିସ୍ତାନ ଏଜେଣ୍ଟକୁ ଓଟିପି ସେୟାର କରି ୩ ଓଡ଼ିଆ ଯୁବକ ଗିରଫ
ଆଇଟିଆଇ ଟିଚର୍ ସହ ୨ ଜଣଙ୍କୁ ବାନ୍ଧିଲା ଏସଟିଏଫ୍

ପାକିସ୍ତାନ ଏଜେଣ୍ଟକୁ ଓଟିପି ସେୟାର କରିବା ଘଟଣାରେ ୩ ଜଣଙ୍କୁ ଗିରଫ କଲା ଏସଟିଏଫ୍। ଆଇ.ଟି.ଆଇ ଟିଚର୍ ସମେତ ଦୁଇ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ ଫୋନ, ୪୭ ଟି ସିମ୍ କାର୍ଡ, ୬୧ ଟି ଏଟିଏମ୍ କାର୍ଡ, ୨୩ ଟି ସିମ୍ କଭର ଜବତ ହୋଇଛି।
ସୂଚନାନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଆଇ.ଟି.ଆଇ ଟିଚର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଏବଂ ଅନ୍ୟ ଜଣେ ସୌମ୍ୟ ପଟ୍ଟନାୟକ।
ଦୁଇଜଣ ନୟାଗଡ଼ରୁ ହୋଇଥିବା ବେଳେ ଅନ୍ୟ ଜଣେ ଯାଜପୁରର ବୋଲି ଜଣାପଡିଛି। ଏମାନେ ପାକିସ୍ତାନ ଏଜେଣ୍ଟ ଆଇଏସଆଇକୁ ଓଟିପି ଦେଉଥିଲେ। ସୋସିଆଲ ମିଡିଆରେ ବିଭିନ୍ନ ଆକାଉଣ୍ଟ ତିଆରି କରିବା ପାଇଁ ଏହି OTP ଗୁଡିକ ବ୍ୟବହୃତ ହୋଇଥିଲା। ହ୍ଵାଟସଆପ୍, ଟେଲିଗ୍ରାମ, ଫେସବୁକ୍, ଇନଷ୍ଟାଗ୍ରାମ ଇତ୍ୟାଦି ଏବଂ ଅନଲାଇନ୍ ସପିଂ ସାଇଟ୍ ଯେପରିକି ଆମାଜନ, ଫ୍ଲିପକାର୍ଟ ଇତ୍ୟାଦି ଇମେଲ ଆକାଉଣ୍ଟ ଖୋଲିବାରେ ମଧ୍ୟ ବ୍ୟବହୃତ ହେଉଥିଲା।
ଆତଙ୍କବାଦୀଙ୍କ ସହ ଯୋଗାଯୋଗ, ଭାରତ ବିରୋଧୀ ଆଭିମୁଖ୍ୟ ଚଳାଇବା, ସୋସିଆଲ ମିଡିଆରେ ଭାରତ ବିରୋଧୀ ତଥା ବିଭାଜନ ଭାବନାକୁ ପ୍ରଚାର, ହନିଟ୍ରାପ୍ ଇତ୍ୟାଦି ପାଇଁ ଏହି ଆକାଉଣ୍ଟ ଗୁଡିକ ଏକ ଭାରତୀୟ ମୋବାଇଲରେ ପଞ୍ଜିକୃତ ହୋଇଛି।