ହବିବୁରକୁ ଜେରା ଲାଗି ଦିଲ୍ଲୀ ଯିବ ଏସଟିଏଫ ଟିମ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା (ଏଲଇଟି) ପାଇଁ କାମ କରିବା ଅଭିଯୋଗରେ ଗିରଫ ହୋଇଥିବା ହବିବୁର ରହେମାନ ଓରଫ ହବିବ କୁ କ୍ରାଇମବ୍ରାଞ୍ଚର ଏସଟିଏଫ ଜେରା କରିବ । ଏସଟିଏଫ ଡିଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏକ ଟିମ ଖୁବଶୀଘ୍ର ଦିଲ୍ଲୀ ଯିବ ବୋଲି କ୍ରାଇମବ୍ରାଞ୍ଚର ଅତିରିକ୍ତ ପୋଲିସ ଡିଜି(ଏଡିଜି) ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଏଡିଜି ଶ୍ରୀ ଉପାଧ୍ୟାୟ କହିଛନ୍ତି ଯେ, ଏନଆଇଏ ଦ୍ୱାରା ଗିରଫ ହୋଇଥିବା ଆତଙ୍କବାଦୀ ହବିବୁର ରହେମାନ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତଥ୍ୟ ହସ୍ତଗତ ହୋଇନି । ଏନଆଇଏ ର ଅନୁମତି ନେଇ ଘଟଣାର ଅଧିକ ଖୋଳତାଡ କରାଯିବା ସହ ହବିବୁରକୁ ଜେରା କରାଯିବ । ଏସଟିଏଫର ସ୍ୱତନ୍ତ୍ର ଟିମ ଦିଲ୍ଲୀ ଯାଇ ହବିବୁରକୁ ଜେରା କରିବେ ।

ତେବେ ୧୯୮୭ ମସିହାରେ ହବିବୁର ଓଡ଼ିଶା ଛାଡିଥିଲା । ପରିବାର ସହ ମୁମ୍ବାଇରେ ରହିବା ପରେ ସେ ସାଉଦୀ ଆରବ ପଳାଇଯାଇଥିଲା । ଶେଷ ଥର ପାଇଁ ସେ ଭାଇ ବାହାଘର ରେ ଯୋଗଦେବାକୁ ୨୦୦୬ ରେ କେନ୍ଦ୍ରାପଡା ଆସିଥିଲା । ଏଥିସହିତ ହବିବୁରର ସହଯୋଗୀଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଥିଲା । କିଛି ସନ୍ଦୀଗ୍ଧଙ୍କୁ କ୍ରାଇମବ୍ରାଞ୍ଚ ପଚରାୁଚରା କରୁଛି । ତେବେ ତଦନ୍ତ ଜାରି ରହିଛି ବୋଲି ଏଡିଜି ଶ୍ରୀଉପାଧ୍ୟାୟ କହିଛନ୍ତି ।

ସେହିପରି ହବିବୁର ସହଯୋଗରେ ଶେଖ ଅବଦୁଲ ନଇମ ଓଡ଼ିଶାକୁ କେତେଥର ଆସିଛି ଓ କେଉଁଠି ତାକୁ ରହିବାର ସୁଯୋଗ ଦିଆଯାଇଥିଲା, ସେ ନେଇ ଏସଟିଏଫ ତଦନ୍ତ କରିବ । ଓଡ଼ିଶାରେ ହବିବୁରର କିଛି ଆତଙ୍କି ସହଯୋଗୀ ରହିଥିବା ସନ୍ଦେହ କରାଯାଉଛି । ସେହିପରି ଓଡ଼ିଶାରେ ଆତଙ୍କି କାର୍ଯ୍ୟକଳାପ ର ଭିତ୍ତିଭୂମି ପ୍ରତିଷ୍ଠା ନେଇ ମଧ୍ୟ ଏସଟିଏଫ ଖୋଳତାଡ କରିବ ।

ତଦନ୍ତ ବେଳେ କଟକରେ ଲସ୍କର-ଇ-ତୋଇବାର ପ୍ରମୁଖ ସଦସ୍ୟ ଶେଖ ଅବଦୁଲ ନଇମ କଟକରେ ରହୁଥିବା ଏନଆଇଏ (ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି) ଜାଣିବାକୁ ପାଇଥିଲା । ନଇମକୁ ହବିବୁର କଟକରେ ରହିବାର ସୁବିଧା ଯୋଗାଇବା ସହ ସମସ୍ତ ସହଯୋଗ କରୁଥିଲା । ଏପରିକି ଘର ଠାରୁ ଆରମ୍ଭ କରି ନକଲି ପରିଚୟ ପତ୍ର, ଫୋନ ଭଳି ସୁବିଧା ଯୋଗାଇଥିଲା । ମାତ୍ର ଓଡିଶା ପୋଲିସ କିମ୍ବା ଗୁଇନ୍ଦା ବିଭାଗ ଏନେଇ ସାମାନ୍ୟତମ ସୁରାକ ପାଇପାରିନଥିଲା । ନଇମ କଟକରେ ଶେହଜାଦ ନାଁରେ ରହୁଥିଲା । ଏଭଳି ତଥ୍ୟ ସମ୍ପର୍କରେ ଜାଣିବା ପରେ ଏସଟିଏଫ ଘଟଣାର ଖୋଳତାଡ ଆରମ୍ଭ କରିଛି ।

Sikshaya
Leave A Reply

Your email address will not be published.