ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନେ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଆଜି ଅନଶନ ଆରମ୍ଭ କରିଛନ୍ତି। ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରାଯିବ ବୋଲି କୃଷକ ସଙ୍ଗଠନମାନେ କହିଛନ୍ତି।
ପଞ୍ଜାବରେ ‘ଭାରତୀୟ କିଷାନ୍ ୟୁନିୟନ୍’ ବା ‘ବିକେୟୁ’ର ସାଧାରଣ ସମ୍ପାଦକ ହରିନ୍ଦର ସିଂହ ଲଖୋଓ୍ଵାଲ୍ କହିଛନ୍ତି, ଆମେ ସରକାରଙ୍କୁ ଜାଗ୍ରତ କରିବାକୁ ଚାହୁଁଛୁ। ସେଥିପାଇଁ ‘ସଂଯୁକ୍ତ କୃଷକ ସାମ୍ମୁଖ୍ୟ’ର ୪୦ଜଣ କୃଷକ ନେତା ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସୀମାର ସମସ୍ତ ଅଞ୍ଚଳରେ ଅନଶନରେ ବସିବେ। ସେମାନଙ୍କ ମଧ୍ୟରୁ ୨୫ଜଣ ସିଂଘୁ ସୀମାରେ, ୧୦ଜଣ ଟିକ୍ରୀ ସୀମାରେ ଏବଂ ୫ଜଣ ଉତ୍ତର ପ୍ରଦେଶ ସୀମାରେ ବସି ଅନଶନ କରିବେ।
ଦିଲ୍ଲୀର ଗାଜିପୁର ସୀମାରେ ଥିବା ପ୍ରତିବାଦକାରୀମାନେ କହିଛନ୍ତି ଯେ ସେମାନେ ଏହି ଦିନିକିଆ ଅନଶନ ପାଇଁ ପ୍ରସ୍ତୁତ। ଲକ୍ଷ୍ମୀପୁର ଖେରିର ଜଣେ କୃଷକ କହିଛନ୍ତି, କଳକୁ ଆଖୁ ଟ୍ରଲି ନେଇ ଗଲାବେଳେ ଆମକୁ ୨୪ ଘଣ୍ଟା ଉପବାସ ରହିବାକୁ ପଡ଼େ। ଉପବାସ ପାଇଁ ଆମେ ପ୍ରସ୍ତୁତ।
କୃଷି ଆଇନ ପ୍ରତ୍ୟାହାର ନିମନ୍ତେ ପ୍ରାୟ ୨୦ ଦିନ ହେବ କୃଷକମାନେ ଚଳାଇଥିବା ଏହି ଆନ୍ଦୋଳନ କ୍ରମଶଃ ତୀବ୍ରତର ହେଉଛି। ରବିବାର ଦିନ ଆହୁରି ଅନେକ କୃଷକ ଆସି ହରିୟାଣା ସୀମାନ୍ତ ସିଂଘୁରେ ପ୍ରତିବାଦକାରୀ କୃଷକମାନଙ୍କ ସହ ଯୋଗ ଦେଇଛନ୍ତି।
