ଶ୍ରୀମନ୍ଦିର ସମ୍ମୁଖରେ ଆତ୍ମାହୁତି ଧମକ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ପୂଜାପଣ୍ଡା ସେବକ ନରସିଂହ ପୂଜାପଣ୍ଡା ଆସନ୍ତା ୨୬ ତାରିଖରେ ASI କର୍ତ୍ତୃପକ୍ଷଙ୍କ ଦ୍ଵାରା ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପଶିବାକୁ କରାଯାଉଥିବା ଉଦ୍ୟମକୁ ପ୍ରତିବାଦ କରି ଶ୍ରୀମନ୍ଦିର ସମ୍ମୁଖରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି। ‌ଏହି ଯାଞ୍ଚକୁ ବରିଷ୍ଠ ସେବାୟତ ଓ ଜଗନ୍ନାଥ ସେନା ମଧ୍ୟ ବିରୋଧ କରିଛନ୍ତି ।   

ଗତକାଲି ହାଇକୋର୍ଟ ରତ୍ନ ଭଣ୍ଡାର ଅନୁଧ୍ୟାନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଆସନ୍ତା ୨୬ ଓ ୨୭ରେ ପ୍ରତ୍ନତତ୍ତ୍ୱ ବିଭାଗ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବ। ସବ୍ କମିଟି ଓ କୋର୍ କମିଟି ଉପସ୍ଥିତିରେ ଭଣ୍ଡାରର ଦ୍ୱାର ଖୋଲାଯିବ। ଦୀର୍ଘଦିନ ଧରି ବନ୍ଦ ରହିଥିବାରୁ ଭଣ୍ଡାରର ସ୍ଥିତି କିଭଳି ରହିଛି ଏବଂ ସେଠାରେ ଥିବା ଅଳଙ୍କାର କେଉଁ ଅବସ୍ଥାରେ ରହିଛି ତାହାର ଯାଞ୍ଚକରାଯିବ । ପରେ ଆବଶ୍ୟକ ପଡିଲେ ଭଣ୍ଡାରର ମରାମତି କରାଯିବ ।

ପୂର୍ବରୁ ୧୪ଶହ ଶତାବ୍ଦୀରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ମହଣ ମହଣ ସୁନା ଓ ରୂପାରେ ରତ୍ନଭଣ୍ଡାର ଭର୍ତି ହୋଇରହିଛି ବୋଲି କୁହାଯାଉଥିବା ବେଳେ ଏହି ରହସ୍ୟରୁ ପରଦା ହଟିବାକୁ ଯାଉଛି ।

ରତ୍ନଭଣ୍ଡାରକୁ ଦୁଇ ଭାଗରେ ଭାଗ କରାଯାଇଛି । ଭିତର ଭଣ୍ଡାର ଘର ଓ ବାହାର ଭଣ୍ଡାର ଘର । ପ୍ରଥମ ଦୁଇଟି ଭଣ୍ଡାର ଘରେ ମହାପ୍ରଭୁଙ୍କ ଦୈନନ୍ଦିନ ଅଳଙ୍କାର ଓ ସୁନାବେଶ ସମୟର ଅଳଙ୍କାର ରହିଛି। ତେବେ ଭିତର ରତ୍ନଭଣ୍ଡାର ଆଜିଯାଏଁ ବନ୍ଦ ରହିଛି।
୧୯୭୮ ମସିହାରେ ଏହାର ମାତ୍ର ତିନୋଟି କୋଠରୀ ଖୋଲାଯାଇଥିଲା ଓ ଅଳଙ୍କାର ଗୁଡ଼ିକର ତାଲିକା ମଧ୍ୟ କରାଯାଇଥିଲା। ହେଲେ ଭୟଙ୍କର ଗର୍ଜନ ଶୁଣାଯିବାରୁ କୌଣସି ଅଘଟଣ ଆଶଙ୍କାରେ ଅଧିକ କୋଠରୀ ଖୋଲିବାକୁ ସାହାସ ହୋଇ ନ ଥିଲା।  

ମାତ୍ର ୩୯ ବର୍ଷ ପରେ ପୁଣି ଖୋଲିବ ଶ୍ରୀମନ୍ଦିରର ରହସ୍ୟପୂର୍ଣ୍ଣ ଓ ଦୁର୍ଭେଦ୍ୟ ରତ୍ନଭଣ୍ଡାର। ASI ମତ ଅନୁସାରେ ନାଟମଣ୍ଡପ ମରାମତି ପୂର୍ବରୁ ରତ୍ନଭଣ୍ଡାରର ସ୍ଥିତି ଜାଣିବା ଜରୁରୀ ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି। ତେବେ ରତ୍ନ ଭଣ୍ଡାରର ସମସ୍ତ କୋଠରୀ ଖୋଲିବା ପୂର୍ବରୁ ପ୍ରଥମେ ବରିଷ୍ଠ ସେବାୟତ ଓ ଛତିଶା ନିଯୋଗ ସହ ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ମଧ୍ୟ ଅନେକଥର ଏହି ପରି ଚେଷ୍ଟା କରି ବିଫଳ ହେବା ପରେ ପୁଣି ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଭକ୍ତଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି।

Sikshaya
Leave A Reply

Your email address will not be published.