ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ( ୟୁଜିସି) ପକ୍ଷରୁ ଦାଏର ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ୩ ମାସ ପାଇଁ ରହିତାଦେଶ ଦେଇଛନ୍ତି । ଏହାସହିତ ଓଡ଼ିଶା ସରକାରଙ୍କୁ ୩ ମାସ ସୁଦ୍ଧା ଜବାବ ରଖିବାକୁ କହିଛନ୍ତି । ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏହି ଆଇନକୁ ସବୁଜ ସଙ୍କେତ ଦେଇଥିଲେ ।
ଜେଏନ୍ୟୁର ଅବସରପ୍ରାପ୍ତ ପ୍ରଫେସରଙ୍କ ସହ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ୨୦୨୦ ନଭେମ୍ବର ୯ ତାରିଖରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଓଡ଼ିଶା ହାଇକୋର୍ଟ ଏହି ଆଇନକୁ ସବୁଜ ସଙ୍କେତ ଦେବା ପରେ ଉତ୍କଳବିଶ୍ୱବିଦ୍ୟାଳର ସମ୍ପୃକ୍ତ ପ୍ରଫେସର ଓ ୟୁଜିସି ଉଭୟ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ୟୁଜିସି ପକ୍ଷରୁ କୁହାଯାଇଥିଲା ଯେ ରାଜ୍ୟ ସରକାରଙ୍କ ଏହି ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନ ହେଉଛି ୟୁଜିସି ଆକ୍ଟ-୧୯୫୬ ଅନ୍ତର୍ଗତ ୟୁଜିସି ରେଗୁଲେସନ -୨୦୧୮ର ବିରୋଧାଚରଣ କରୁଛି । କୋର୍ଟରେ ଦାଏର ୨ଟି ଭିନ୍ନ ଭିନ୍ନ ଜନସ୍ୱାର୍ଥ ମାମଲାରେ କୋର୍ଟଙ୍କ ନୋଟିସ୍ ଆଧାରରେ ୟୁଜିସି ଶିକ୍ଷା ଅଧିକାରୀ ଡଃ ସୁପ୍ରିୟା ଦାହିୟା ସତ୍ୟପାଠ ଦାଖଲ କରିଥିଲେ ।