ତ୍ରିରଙ୍ଗା ରଙ୍ଗରେ ସଜେଇ ହେଲା ଆକାଶ; ଜଲୱା ଦେଖାଇଲା ‘ସୂର୍ଯ୍ୟକିରଣ’ ଟିମ୍

ତ୍ରିରଙ୍ଗା ରଙ୍ଗରେ ସଜେଇ ହେଲା ଆକାଶ । ରାଜଧାନୀ ଭୁବନେଶ୍ୱରରେ ନିଜର ଦମ ଦେଖାଇଲା ‘ସୂର୍ଯ୍ୟକିରଣ’ ଟିମ୍। ବାୟୁସେନାର ଏହି ଜଲୱା ଦେଖି ତାଜୁବ ହେଲେ ଓଡ଼ିଶାବାସୀ । କୂଆଖାଈ ବାଲିଯାତ୍ରା ପଡିଆରେ ହୋଇଥିଲା ଏହି ସୂର୍ଯ୍ୟକିରଣ ଶୋ’ । ଦେଖିବାକୁ ମିଳିଲା ଶହ ଶହ ସଂଖ୍ୟାରେ ଭିଡ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ପୂର୍ବାହ୍ନ ୧୦ଟା ପରେ ରାଜଧାନୀ ଆକାଶରେ ଦେଖିବାକୁ ମିଳିଥିଲା ବାୟୁସେନାର ଚିତ୍ତାକର୍ଷକ ଶୋ’ ।
ଆକାଶରେ ଗର୍ଜିଥିଲା ୯ ଲଢୁଆ ହକ୍ ବିମାନ । ଘଣ୍ଟାକୁ ୧୬୦୦ କିଲୋମିଟରେ ବେଗରେ ଉଡିଥିଲା ବିମାନ । ଲିଡ୍ ନେଇଥିଲେ ଗ୍ରୁପ୍ କ୍ୟାପଟେନ୍ ଜି.ଏସ ଝେଲନ । ଏକା ସଙ୍ଗେ ୯ଟି ଫାଇଟର୍ ଜେଟ୍ ଉଡ଼ିଲା ବେଳକୁ ଦେଖଣାହାରୀଙ୍କ ଲୋମ ଟାଙ୍କୁରି ଉଠୁଥିଲା ତଳେ। ହଠାତ୍ ବିମାନଗୁଡିକ ୫୦୦ ମିଟର ତଳକୁ ସିଧା ଖସିଆସିଲେ । ଆଖି ପିଛୁଳାକେ ବିମାନ ସବୁ ଦୃଶ୍ୟମାନ ହୋଇନଥିଲା । ଏହା ପରେ ଗୋଟିଏ ପରେ ଗୋଟିଏ ବିମାନ ନିଜର ରଣକୌଶଳ ଦେଖାଇଥିଲା ।
ରାଜ୍ୟପାଳ ଗଣେଶ ଲାଲ ବାୟୁସେନାର ଏହି ଚିତ୍ତାକର୍ଷକ ଶୋ’ ଦେଖିବାକୁ କୁଆଖାଇ ବାଲିଯାତ୍ରା ପଡ଼ିଆରେ ଉପସ୍ଥିତ ଥିଲେ। ତେବେ ଏହି କାର୍ଯ୍ୟକ୍ରମ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ସେ କିନ୍ତୁ ଆସି ନ ଥିବା ଜଣାପଡିଛି। କୁଆଖାଇ ନଦୀ ପଠାର ଦୁଇ ପାର୍ଶରେ କାର ପାର୍କିଙ୍ଗ ପାଇଁ ଚାରୋଟି ସ୍ଥାନରେ ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ୧୫ ପ୍ଲାଟୁନ ଫୋର୍ସ , ୧୦ ଜଣ ଏସିପି ଓ ୧୫ ଜଣ ଥାନା ଅଧିକାରୀଙ୍କ ସହ ୩୦ ଜଣ ସବ୍ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି ।