ଆଦିବାସୀ ସହାୟିକାଙ୍କୁ ବନ୍ଧକ ରଖି ବିଜେପି ନେତ୍ରୀ ଦେଉଥିଲେ ନିର୍ଯ୍ୟାତନା; ଧରିଲା ପୋଲିସ

ଜଣେ ଆଦିବାସୀ ସହାୟିକାଙ୍କୁ ଘରେ ୮ ବର୍ଷ ଧରି ବନ୍ଧକ ରଖି ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ବିଜେପି ନେତ୍ରୀ ସୀମା ପାତ୍ରଙ୍କୁ ଗିରଫ କରିଛି ପୋଲିସ। ପୂର୍ବତନ ଆଇଏଏସ୍ ଅଫିସରଙ୍କ ପତ୍ନୀ ସୀମାଙ୍କୁ ବୁଧବାର ଭୋରୁ ରାଞ୍ଚି ପୋଲିସ ଗିରଫ କରିଛି। ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସୀମାଙ୍କୁ କୋର୍ଟ ପରୱାର୍ଡ କରାଯାଇ ପରେ ଜେଲ୍ ପଠାଯିବ।
ପୋଲିସ ହାତରେ ଧରାପଡ଼ିବା ଭୟରେ ସୀମା ନିଜ ବାସଭବନ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିବା ବେଳେ ପୋଲିସ ସର୍ଚ ଅପରେସନ କରି ତାଙ୍କୁ ଧରିବାରେ ସମର୍ଥ ହୋଇଛି।
ସୀମାଙ୍କ ସହାୟିକାଙ୍କ ନାଁ ସୁନିତା। ସହାୟିକାଙ୍କୁ ସୀମା ନିର୍ଯ୍ୟାତନା ଦେଉଥିବାର ଏକ ଭିଡିଓ ଭାଇରାଲ ହେଵା ପରେ ପୋଲିସରେ ଅଭିଯୋଗ କରିବା ପରେ ଝାଡଖଣ୍ଡ ବିଜେପି ମୁଖ୍ୟ ଦୀପକ ପ୍ରକାଶ ସୀମା ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ଭାଇରାଲ ଭିଡିଓରେ ପୀଡିତା ମହିଳା ସୁନୀତାଙ୍କୁ ଡାକ୍ତରଖାନା ଶଯ୍ୟାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କର ଅନେକ ଦାନ୍ତ ଭାଙ୍ଗିଯାଇଥିବା ସହ ସେ ବସିବାକୁ ମଧ୍ୟ ଅସମର୍ଥ ଥିବା ଦେଖାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ତାଙ୍କ ଶରୀରରେ ଥିବା ଆଘାତ ଚିହ୍ନ ସୂଚିତ କରୁଛି ଯେ ତାଙ୍କୁ ବାରମ୍ବାର ମାଡ଼ ମରାଯାଉଥିଲା। ଭିଡିଓ ଦେଖିବା ପରେ ଅନେକ ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ବିଜେପି ମହିଳା ନେତ୍ରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ।
ସୁନୀତା ଅଭିଯୋଗ ଆଣିଥିଲେ ଯେ ୮ ବର୍ଷ ହେଲାଣି ସେ ସୀମାଙ୍କ ଘରେ କାମ କରିଆସୁଛନ୍ତି । ଗତ ୮ବର୍ଷ ମଧ୍ୟରେ ସୀମା ପାତ୍ର ତାଙ୍କୁ ଅନେକ ଥର ମାଡ଼ ମାରିଛନ୍ତି। ତାଙ୍କୁ ଗରମ ତାୱା ଓ ବାଡ଼ିରେ ମାଡ଼ ମରାଯାଇଥିଲା। ଏହି ସମୟରେ ତାଙ୍କର ଦାନ୍ତ ଭାଙ୍ଗିଯାଇଥିଲା। ତାଙ୍କୁ ଚଟାଣରୁ ପରିସ୍ରା ଚାଟିବାକୁ ଓ ଜିଭରେ ଟଏଲେଟ ସଫା କରିବାକୁ ମଧ୍ୟ କୁହାଯାଇଥିଲା।