ଏଆଇସିସିର ରହସ୍ୟମୟୀ ମହିଳା

0

ଓଡିଶା ଫାଷ୍ଟ  (ବ୍ୟୁରୋ) : କିଏ ସେହି ମହିଳା ? ଯାହାଙ୍କୁ ଘେରି ରହିଛନ୍ତି ଓଡିଶା କଂଗ୍ରେସ ନେତା । ତାଙ୍କ ଫୋନ୍ ନମ୍ବର ନେବାକୁ ଛୋଟ ବଡ ସବୁ ନେତା ବ୍ୟଗ୍ର । ଏପରିକି ତାଙ୍କ ମୋବାଇଲରେ ନିଜ ନମ୍ବର ସେଭ୍ କରିବା ପାଇଁ ଲାଗିଯାଇଥିଲା ଏକ ରକମ ପ୍ରତିଯୋଗୀତା । ନିରଞ୍ଜନ, ନବ, ଚିରଞ୍ଜୀବିଙ୍କ ପରି ରାଜ୍ୟ କଂଗ୍ରେସର ଆଗ ଧାଡିର ନେତାଙ୍କ ଗହଣରେ ତିନି ଦିନ ଧରି ଦେଖା ଦେଇଥିଲେ ସେହି ରହସ୍ୟମୟୀ ମହିଳା ।

ଖବର ନେବାରେ ଜଣା ପଡିଲା, ଯେ ମହିଳା ଜଣକ ଗତ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରୁ କଂଗ୍ରେସ ପକ୍ଷରୁ   ଜିଲ୍ଲା  ପରିଷଦ ପ୍ରାର୍ଥୀ ଭାବରେ ଲଢି ହାରିଥିଲେ । ଆଉ ତାଙ୍କ ନାମ ଦିପ୍ତୀରେଖା ମିଶ୍ର । ସିଧା ସଳଖ ଏଆଇସିସି ସଦସ୍ୟ ଭାବେ ମନୋନୀତ ହୋଇ ବୈଠକରେ ଯୋଗ ଦେଇଥିଲେ । ତେବେ ଏହି ମହିଳାଙ୍କ  ଏଆଇସିସି ସଦସ୍ୟତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ଏଆଇସିସି ସଭ୍ୟ କିଏ ହେବେ, ଏ ନେଇ ହାଇକମାଣ୍ଡଙ୍କୁ କ୍ଷମତା ପ୍ରଦାନ କରିଥିଲେ ରାଜ୍ୟ କଂଗ୍ରେସ ନେତା । କିନ୍ତୁ ସୂଚନା ଅନୁସାରେ ଶହେରୁ ଉର୍ଦ୍ଧ୍ବ ନାମକୁ ଏହି ତାଲିକା ପାଇଁ ପିସିସି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଯେଉଁଥିରେ ଥିଲା ସଭାପତିଙ୍କ ସମେତ ପୂର୍ବତନ ସଭାପତି ଓ ନିକଟରେ ନିର୍ବାଚିତ ହୋଇଥିବା ପିସିସି ସଭ୍ୟଙ୍କ ନାମ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଦିପ୍ତୀରେଖା ନା ପିସିସି ସଦସ୍ୟ, ନା ତାଙ୍କ ନାମ ସୁପାରିଶ କରାଯାଇଛି । ତେବେ ଏହି ମହିଳାଙ୍କୁ କେମିତି ଜାଣିଲା  ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ? କୁହାଯାଉଛି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସହ  ଉତ୍ତମ ସମ୍ପର୍କ ଯୋଗୁ ତାଙ୍କୁ ଏହି ପଦ ମିଳିଛି । ପିସିସି ପଠାଇଥିବା ତାଲିକାକୁ ନିଜ ଦିଲ୍ଲୀ ଲବି ବଳରେ ଏପଟସେପଟ କରିଛନ୍ତି ଶ୍ରୀକାନ୍ତ ।

ଏଆଇସିସି ସଦସ୍ୟ ତାଲିକାରେ ନଅ ବିଧାୟକଙ୍କ ନାଁ ନରହିବାକୁ ନେଇ ଏବେ  ପିସିସି ଓ ବିଧାୟକ ଦଳ ପୁଣି  ମୁହାଁମୁହିଁ । କୁହାଯାଉଛି ପ୍ରସାଦ ହରିଚନ୍ଦନଙ୍କୁ ବିରୋଧ କରୁଥିବା ବିଧାୟକଙ୍କୁ  ଚେକମେଟ୍ ଦେଇଛନ୍ତି ନିଜେ ପ୍ରସାଦ । କିନ୍ତୁ ତାଙ୍କୁ ମଧ୍ୟ ଚକମା ଦେଇ କିଛି ନେତା ଏଆଇସିସି ତାଲିକାକୁ ବଦଳେଇଦେଇଥିଲେ।

ଦିପ୍ତୀରେଖାଙ୍କୁ ସଦସ୍ୟତା ମିଳିବା ଏହାର ବଳିଷ୍ଠ ଉଦାହରଣ । ସେହିପରି ପ୍ରସାଦ ସମର୍ଥକ କ୍ୟାମ୍ପର ସଂଗ୍ରାମ ଜେନା, ବିଶ୍ୱ ରଞ୍ଜନ ମହାନ୍ତି ଓ ଲୋକନାଥ ମହାରଥୀ ପ୍ରାଥମିକ ତାଲିକା ରୁ ବାଦ୍ ପଡିଥିବା ଘଟଣା ପଛରେ ଏହି କରିତକର୍ମାଙ୍କ ହାତ ଥିବା କୁହାଯାଉଛି । ଏପରିକି ସାଧାରଣ ସମ୍ପାଦକ ଶୁଭେନ୍ଦୁ ମହାନ୍ତିଙ୍କ ଗୃହ ନିର୍ମାଣ ସଂସ୍ଥାରେ କାମ କରୁଥିବା ସରୋଜ ପରିଡା ମଧ୍ୟ ଏଆଇସିସି ସଭ୍ୟ ପଦ ହାତେଇଛନ୍ତି । 2014ରେ କଂଗ୍ରେସ ବିରୁଦ୍ଧରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ କାମାକ୍ଷା ନଗରର ଶାନ୍ତନୁ ସାହୁ । ପରେ କଂଗ୍ରେସରୁ ନିଳମ୍ବିତ ମଧ୍ୟ ହୋଇଥିଲେ । କିନ୍ତୁ ପୁଣି କିଛି ନେତାଙ୍କୁ ହାତ କରି ଏବେ ଏଆଇସିସି ସଭ୍ୟ ହେଇପାରିଛନ୍ତି ।

ଜନସାଧାରଣଙ୍କ ଦ୍ବାରା ନିର୍ବାଚିତ ବିଧାୟକ ବାଦ୍ ପଡିଥିବା ବେଳେ କୌଣସି ରାଜନୈତିକ ଅଭିଜ୍ଞତା ନଥିବା ବ୍ୟକ୍ତି ବିଶେଷ ଏଆଇସିସି ସଭ୍ୟ ହେବାକୁ କଂଗ୍ରେସ କର୍ମୀ କେମିତି ଗ୍ରହଣ କରୁଛନ୍ତି, ଏବେ ତାହା ଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.