ଓଡ଼ିଶା ଫାଷ୍ଟ(ବ୍ୟୁରୋ):୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନର ବରିଷ୍ଠ କମାଣ୍ଡର ଜାକିଉର ରେହମାନ ଲଖଭୀକୁ ଶନିବାର ପଞ୍ଜାବ ପ୍ରଦେଶର ଆତଙ୍କବାଦ ନିରୋଧ ସଂସ୍ଥା ପକ୍ଷରୁ ପାକିସ୍ତାନରେ ଗିରଫ କରାଯାଇଛି। ତେବେ ଲଖଭୀକୁ କେଉଁ ସ୍ଥାନରୁ ଗିରଫ କରାଗଲା, ସେ ସମ୍ପର୍କରେ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ଅଭିଯୋଗରେ ତାକୁ ଗିରଫ କରାଯାଇଥିବା ପ୍ରକାଶ। ୬୧ ବର୍ଷୀୟ ଲଖଭୀ ଲାହୋରରେ ଏକ ହାସପାତାଳ ଚଳାଉଥିବାବେଳେ ଏଥିରୁ ଉପଲବ୍ଧ ଅର୍ଥକୁ ଆତଙ୍କବାଦୀ ସଂଗଠନକୁ ଯୋଗାଉଥିଲା। ଜାତିସଂଘ ପକ୍ଷରୁ ଲଖଭୀକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇସାରିଛି। ମୁମ୍ବାଇ ଆକ୍ରମଣ ଘଟଣାରେ ଲଖଭୀ ପୂର୍ବରୁ ଗିରଫ ହୋଇଥିଲେ ସୁଦ୍ଧା ୨୦୧୫ରେ ଜାମିନ ପାଇ ବାହାରକୁ ଆସିଛି। ଲାହୋରସ୍ଥିତ ଆତଙ୍କବାଦ ନିରୋଧ ଅଦାଲତରେ ଲଖଭୀ ମାମଲାର ଶୁଣାଣି କରାଯିବ ବୋଲି ଜଣାପଡିଛି।