ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଚନ୍ଦ୍ରଶେଖରପୁର +2ଛାତ୍ର ଅପହରଣ ମାମଲାକୁ ନେଇ ପୁରା ଟିମ ସହିତ ୯୬ ଘଣ୍ଟା ଅପରେସନ ପରେ ଘଟଣାର ପର୍ଦାଫାସ କରିଥିବାରୁ ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ ଡ଼ିସିପି ସତ୍ୟବ୍ରତ ଭୋଇଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥି ସହିତ ସ୍ପେଶାଲସ୍କ୍ୱାର୍ଡ ଏସପି ସଂଜୀବ ଶତପଥୀ ଓ ଇନ୍ସପେକ୍ଟର ଦୀପକ ମିଶ୍ର, ହିମାଂଶୁ ସ୍ୱାଇଁ, ଦୟାନିଧି ନାୟକଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି।
ଫିଲ୍ମ ଷ୍ଟାଇଲରେ ଘଟିଥିବା ଅପରାଧ କୁ କମିଶନରେଟ ପୋଲିସ ଚାଲେଞ୍ଜ ର ସହିତ ଗ୍ରହଣ କରି ନିଜର ଦକ୍ଷତାକୁ ପ୍ରମଣିତ କରିଛି। ଜଣେ ଯୁବନେତାଙ୍କ ସହ ୫ଜଣ ଇଂଜିନିୟରିଂ ଛାତ୍ର ରଚିଥିଲେ ଏକ ଗ୍ୟାଙ୍ଗ। ଲକ୍ଷ୍ୟ ଥିଲା ନାମୀ ଦାମୀ ଲୋକ ଙ୍କ ପିଲାଙ୍କୁ ଅପହରଣ କରିବା। ଖୋଲା ଯାଇଥିଲା ଫେକ ଫେସବୁକ ଆକାଉଣ୍ଟ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂରା ଘଟଣାରେ ଜଣେ ସୁନ୍ଦରୀ ତରୁଣୀଙ୍କୁ ମଧ୍ୟ ଢ଼ାଲ ବନାଯାଇଥିଲା । ଆଉ ତା’ପରେ ଆରମ୍ଭ ହୋଇଥିଲା ମିଶନ । ଯାହାର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ । ପୂରା ରାଜ୍ୟରେ ଏହି ଘଟଣା ପ୍ରଥମ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ଖୋଦ ପୁଲିସ କମିଶନର ୱାଇବି ଖୁରାନିଆ ।
ଏହି ଘଟଣା ପୂର୍ବରୁ ମଧ୍ୟ ଅନେକ ଇଂଜିନିୟରିଂ ଛାତ୍ର ଅପରାଧ ର ବାଟ ଆପଣେଇଥିବାର ନଜିର ରହିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀର ଗୋପାଳ କୃଷ୍ଣ ମହାପାତ୍ର, ସୁଭରାଜ ବେହେରା, ସୌମ୍ୟରଂଜନ ମିଶ୍ର, ଅଭିଜିତ ମିଶ୍ର, ସିର୍ଦ୍ଧାଥ ମହାପାତ୍ର। ତେବେ ଘଟଣାରେ ଢ଼ାଲ ଥିବା ଫେକ ଫେସବୁକର ସୁନ୍ଦରୀ ଜଣକ ପଶ୍ଚିମବଙ୍ଗ ର ରୋଜାଲିନ। ଖୁବ ଶୀଘ୍ର ତାକୁ ଧରାଯିବ ବୋଲି ପୁଲିସ କହିଛି।
ପୂରା ଘଟଣାଟି ଏହିପରି ଥିଲା
ବିଟେକ ଛାତ୍ର ଗୋପାଳ ହିଁ ଗଢ଼ିଥିଲା ଏକ ଗ୍ୟାଙ୍ଗ। ବାଛିଥିଲା ତା’ର ୫ରୁ ଅଧିକ ସହଯୋଗୀଙ୍କୁ। ବଡ଼ବଡ଼ିଆଙ୍କ ପୁଅକୁ କିଡନାପ କରି ଟଙ୍କା ଇନକମ କରିବା ଥିଲା ମୂଳ ଉଦ୍ଦେଶ୍ୟ। ଖାସ ଏଥିପାଇଁ ସେ ବିଛାଇଥିଲା ମାୟାଜାଲ। ଜାଲରେ ଥୋପ କରାଯାଇଥିଲା ଜଣେ ଯୁବତୀଙ୍କୁ। ତେବେ ଏହି ଜାଲରେ ଗତ ୨୬ ରେ ଫସିଥିଲେ ଶୈଳଶ୍ରୀବିହାର ଅଞ୍ଚଳର ପ୍ରଶାନ୍ତ ରଥଙ୍କ ପୁଅ ଗୌରଭ(୧୭)। ସଂନ୍ଧ୍ୟାରେ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତ ଅପହରଣ କରିନେଇ ଥିଲେ ଗୌରଭ ଙ୍କୁ। ଏବଂ ନାବାଳକକୁ ଛାଡିବାକୁ ୧୧ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ । ଗୌରଭ ଙ୍କ ପରିବାର ପକ୍ଷରୁ ୨ଲକ୍ଷ ଟଙ୍କା ଦିଆଯିବା ପରେ ତାଙ୍କୁ ଛଡ଼ା ଯାଇଥିଲା।