ଉଛୁଳା ନଦୀ ପାରହୋଇ ବିବାହ ପାଇଁ କନ୍ୟାଘରେ ପହଞ୍ଚିଲା ବର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବରୁ ଅନେକ ବିବାହ ଘଟିଛି। କିନ୍ତୁ  ଏଭଳି ବିବାହ ହେଉଛି ପ୍ରଥମ। ଏଥିରେ ଜଣେ ବର ନଦୀର ଅକାତକାତ ପାଣିରେ କାଠ ଡ଼ଙ୍ଗାରେ ନଦୀ ପାର ହୋଇ ବିବାହ ପାଇଁ  କନ୍ୟା ଘରେ ପହଁଚିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକର ସିର୍ତ୍ତିଗୁଡ଼ା ପଞ୍ଚାତୟର ୬ ନମ୍ବର ୱାର୍ଡ଼ କମାଙ୍ଗି ଗ୍ରାମରେ। ବର ଦିଗାମ୍ବର ପ୍ରଧାନଙ୍କ ସହିିତ ସାମିଲ୍ ହୋଇଥିଲେ ବଡ଼ଭାଇ ଲୁକାସ ପ୍ରଧାନ ସହିତ ୧୦ ଜଣ ସମ୍ପର୍କୀୟ। ପାଳି ପାଳି ଡ଼ଙ୍ଗା ପାର କରି କମାଙ୍ଗି ଗ୍ରାମରେ ପହଞ୍ଚିବା ପରେ ହୋଇଥିଲା ବିବାହ ଉତ୍ସବ। ସେହିପରି କୋଭିଡ ନିୟମକୁ ମଧ୍ୟ ପାଳନ କରାଯାଇ ଉଭୟ ପକ୍ଷରୁ ୪୦ଜଣ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ କରୋନା ମହାମାରୀ ଯୋଗୁଁ ରାଜ୍ୟରେ ଘୋଷିତ ହୋଇଥିଲା ଲକଡ଼ାଉନ୍ ଓ ସଟଡ଼ାଉନ ଯୋଗୁଁ ବିବାହ କାର୍ଯ୍ୟକ୍ରମକୁ ବାରଣ କରାଯାଇଥିଲା। ପରେ ଏହାକୁ ୫୦ ଜଣ ସୀମିତ ମଧ୍ୟରେ କରିବାକୁ ଅନୁମତି ଦିଆଯାଇଥିଲା। ତେବେ କରୋନା କଟକଣାର ୪ର୍ଥ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଳା କ.ନୂଆଗାଁ ବ୍ଲକ୍ ସିର୍ତ୍ତିଗୁଡ଼ା ପଞ୍ଚାୟତ ୬ ନମ୍ବର ୱାର୍ଡ଼ର କମାଙ୍ଗି ଗ୍ରାମରେ କୋଭିଡ ନିୟମକୁ ପାଳନ କରି ଅନୁଷ୍ଠିତ ହୋଇଛି ଏହି ବିବାହ କାର୍ଯ୍ୟକ୍ରମ। ଉକ୍ତ ଗ୍ରାମର ଦୁନି ପ୍ରଧାନ ଓ ସ୍ତ୍ରୀ କନାଡ଼ି ପ୍ରଧାନଙ୍କ ଝିଅ ବାନୁମତି ପ୍ରଧାନଙ୍କୁ ବିବାହ କରିବା ପାଇଁ ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତର ସୁକାଲଦା ଗ୍ରାମର ଅଧିବାସୀ ରାଜୀବ ପ୍ରଧାନଙ୍କ ପୁଅ ଦିଗାମ୍ବର ପ୍ରଧାନଙ୍କ ସହିତ ପୂର୍ବର ନିର୍ବନ୍ଧ ହେବା ସହିତ ବିବାହ ପାଇଁ ତାରିଖ ଘୋଷଣା କରାଯାଇଥିଲା। ମାତ୍ର ସେହି ସମୟରେ କରୋନା ଦ୍ରୁତ ଗତିରେ ବଢ଼ିବା ସହ କଟକଣା ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଲକଡ଼ାଉନ୍ ଉଠିଯିବା ପରେ ବିବାହର ପ୍ରତିବନ୍ଧକ ସାଜିଥିଲା ଭରା ନଈ। ଏଭଳି ସ୍ଥିତିରେ ଉଛୁଳା ନଦୀରେ ଡ଼ଙ୍ଗାରେ ନଦୀ ପାର ହୋଇ ବର ଘର ଆସି ଗ୍ରାମରେ ପହଞ୍ଚିଥିଲେ। ଫଳରେ କନ୍ୟା ପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଅନ୍ୟପଟେ ଉକ୍ତ ନଦୀ ଉପରେ ପୋଲ ନିର୍ମାଣ ପାଇଁ ପୂର୍ବରୁ ବାରମ୍ବାର ଦାବି ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲ କାମ ଆରମ୍ଭ ହୋଇଥିଲା। ମାତ୍ର ପୋଲ କାମ ମନ୍ଥର ଗତିରେ ଚାଲୁଥିବା ଯୋଗୁଁ ଲୋକେ ପୂର୍ବପରି ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ତୁରନ୍ତ ପୋଲ କାମ ସମାପ୍ତ ଉପରେ ଗୁରୁତ୍ୱ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Leave A Reply

Your email address will not be published.