ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ, ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ପ୍ରସ୍ତାବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ବସିଥିବା ଐତିହ୍ୟ କ୍ୟାବିନେଟ ବୈଠକରେ ଆଜି ୭ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏନେଇ ରାଜ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ସରକାର ୧୯୬୪ ମସିହାରେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଓ ୨୦୧୪ ମସିହାରେ ଓଡ଼ିଆ ଭାଷାକୁ ଷଷ୍ଠତମ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିବା ପରେ ଓଡ଼ିଶା ସରକାର ୨୦୦୮ ମସିହାରେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ପ୍ରଦାନ କରିଛନ୍ତି । ଓଡ଼ିଶାର ଏହି ପରମ୍ପରା ସଂଗୀତ, ଶୈଳ, ପୁରାତନ ଓ ଶାସ୍ତ୍ରାନୁସାରୀ । ଏହାର ଗାୟନ ପଦ୍ଧତି ମଧ୍ୟ ଭାରତର ଅନ୍ୟ ଶାସ୍ତ୍ରୀୟ ସଂଗୀତ ମଧ୍ୟରେ ସ୍ୱତନ୍ତ୍ର । ତେଣୁ, ଓଡ଼ିଶା ନୃତ୍ୟ ପରି ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ ନିମନ୍ତେ ପ୍ରସ୍ତାବ ଅନୁମୋଦନ ମିଳିଛି । ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଚାଳାନ ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ସହ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ନିମନ୍ତେ ପ୍ରସ୍ତାବ ଅନୁମୋଦିତ ହୋଇଛି। ରାଜ୍ୟ ସଂଗ୍ରହାଳୟ ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀ ନିମନ୍ତେ ପ୍ରସ୍ତାବକୁ ମିଳିଛି ଐତିହ୍ୟ କ୍ୟାବିନେଟ ଅନୁମୋଦନ ।
ସେହିପରି ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଗଚ୍ଛିତ ପୁରାତନ କୀର୍ତ୍ତିରାଜି, ପ୍ରାଚୀନମୁଦ୍ରା ଓ ଅଭିଲେଖ, ତାଳପତ୍ର ପୋଥି, ନୃତତ୍ତ୍ୱ, ଖଣି ଓ ଭୂତତ୍ତ୍ୱ ଆଦି ଅମୂଲ୍ୟ ସମ୍ପଦ, ନୌବାଣିଜ୍ୟ ପରମ୍ପରା, ହାତୀଦାନ୍ତ ଓ କାରୁକଳା, ଅସ୍ତ୍ରଶସ୍ତ୍ର, ବ୍ରୋଞ୍ଜମୂର୍ତ୍ତି ଓ ପାରମ୍ପରିକ ଚିତ୍ର ପୃଥିବୀର କୋଣ ଅନୁକୋଣରେ ପହଞ୍ଚାଇବା ଉଦ୍ଦେଶ୍ୟରେ, ସାମ୍ପ୍ରତିକ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ସଂଗ୍ରହାଳୟକୁ ଭର୍ଚୁଆଲ କରାଯିବା ସହ ଅନୁରୂପ ଢାଞ୍ଚାରେ ପ୍ରବାଦପୁରୁଷ ବିଜୁ ବାବୁଙ୍କ ଆନନ୍ଦଭବନ ସଂଗ୍ରହାଳୟକୁ ମଧ୍ୟ ଭର୍ଚୁଆଲ୍ କରାଯିବା ନିମନ୍ତେ ପ୍ରସ୍ତାବ ଅନୁମୋଦନ ହୋଇଛି ।
ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ଯୋଗ୍ୟ ବିବେଚିତ କଳାକାରମାନଙ୍କୁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଦାନ କରୁଥିବା ଏକାଡେମୀ ପୁରସ୍କାର ଗୁଡ଼ିକର ଅର୍ଥରାଶି ବୃଦ୍ଧି ନିମନ୍ତେ ପ୍ରସ୍ତାବ ଅନୁମୋଦିତ କରାଯାଇଛି । ପୁରସ୍କୃତ ବ୍ୟକ୍ତିବିଶେଷଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ ଏବଂ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ ନିମନ୍ତେ ଅର୍ଥରାଶି ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା, ଏକାଡେମୀଗୁଡ଼ିକର ପୁରସ୍କାର ପାଇଁ ଅର୍ଥରାଶି ୫୦ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କା ତଥା ଏକାଡେମୀ ସମ୍ବର୍ଦ୍ଧନା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।ସେହିପରି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ (ସୁଆଣ୍ଡୋ)ର ବିକାଶ ଓ ଉନ୍ନତିକରଣ ପାଇଁ ସରକାର ସାଢେ ୧୧ କୋଟି ଟଙ୍କା ବ୍ୟୟବରାଦର ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.