୩ ଛୁଆ ଭାସିଯାଉଥିବାର ଦେଖି ନଦୀକୁ ଡେଇଁପଡ଼ିଲେ ବାପା

0

ନଦୀର ପ୍ରଖର ସ୍ରୋତରେ ଭାସିଯାଉଥିଲେ ନିଜର ୩ ଛୁଆ। ନିଜର ୩ ଛୁଆଙ୍କୁ ଭାସିଯାଉଥିବାର ଦେଖି ସମ୍ଭାଳି ନ ପାରି ନିଜେ ନଦୀକୁ ଡେଇଁପଡ଼ିଲେ ଉଦ୍ଧାର କରିବାକୁ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀର ଝୁଲାପୋଲ ନିକଟରେ। ତେବେ ଏହି ଘଟଣାରେ ୨ ଛୁଆଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳୁନି।

ଖବର ଅନୁଯାଇ, ଆନ୍ଧ୍ରପ୍ରଦେଶ ଏଲୁରର ଗୋଟିଏ ପରିବାର ରାୟଗଡ଼ା ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ୩ ଛୁଆ ଓ ବାପାମା’ ଥିଲେ। ସେମାନେ ଝୁଲା ପୋଲ ବୁଲି ସାରିବା ପରେ ବ୍ୟକ୍ତିଜଣକ ନିଜ ୩ ସନ୍ତାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ନଦୀର ପ୍ରଖର ସ୍ରୋତରେ ୩ ଛୁଆ ଭାସି ଯାଇଥିଲେ। ଏହା ଦେଖି ସମ୍ଭାଳି ନ ପାରି ବ୍ୟକ୍ତିଜଣକ ନିଜେ ମଧ୍ୟ ନଦୀ ମଧ୍ୟକୁ ଡେଇଁ ପଡ଼ିଲେ। ପ୍ରଖର ସ୍ରୋତ ମଧ୍ୟରେ ସେ ୨ ଛୁଆଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ଆଉ ଜଣେ ପିଲାର ସନ୍ଧାନ ମିଳୁ ନ ଥିବାରୁ ଦୀର୍ଘ ସମୟ ନଦୀ ସ୍ରୋତରେ ଫସିରହିଥିଲେ ବ୍ୟକ୍ତିଜଣକ ।

ଏପରିକି ଘଣ୍ଟାଏ କାଳ ବ୍ୟକ୍ତିଜଣକ ଏକ ପଥରକୁ ଧରି ଲାଗି ରହିଥିବା ବେଳେ ଖବର ପାଇ ଓଡ୍ରାଫ ଟିମ୍‌ ପହଞ୍ଚିଥିଲେ। ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଏଥିସହ ନିଖୋଜ ୬ ବର୍ଷୀୟ ଶିଶୁଟିର ସନ୍ଧାନ ଜାରି ରହିଛି।

ସୂଚନାଯୋଗ୍ୟ, ନାଗାବଳୀ ନଦୀ ଝୁଲାପୋଲ ନିକଟରେ ନଦୀର ସ୍ରୋତ ପ୍ରଖର ରହୁଥିବା ବେଳେ ତାହାକୁ ଡେଞ୍ଜର ଜୋନ୍‌ ବୋଲି ଘୋଷଣା କରାଯାଇଛି। ଏହାସତ୍ତ୍ୱେ ସେଠାରେ କୌଣସି ସୂଚନା ଫଳକ ଲାଗି ରହି ନ ଥିବାରୁ ବହୁ ସମୟରେ ପର୍ଯ୍ୟଟକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି।

SOA post below
Leave a comment