ଏଥର ରାଜଧାନୀରେ ୧୭୮ ପୂଜା ମଣ୍ଡପରେ ଶୋଭା ପାଇବେ ମା’ ଦୁର୍ଗା; ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡିକୁ ଅନୁମତି

ଦୀର୍ଘ ଦୁଇ ବର୍ଷ ପରେ ଏଥର ମହା ଆଡମ୍ବରରେ ଦର୍ଶନ ଦେବେ ଜଗତଜନନୀ । ରାଜଧାନୀର ୧୭୮ ପୂଜା ମଣ୍ଡପରେ ଶୋଭା ପାଇବେ ମା ଦୁର୍ଗା । ଏଥିପାଇଁ ବିଏମ୍ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ଥର ରାତି ୧୨ ଟା ପର୍ଯ୍ୟନ୍ତ ମେଲୋଡିକୁ ଅନୁମତି ମିଳିବ ।
ସୋମବାର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମସିର ଏକ ସମନ୍ୱୟ ବୈଠକ ରେ ଏହି ନିଷ୍ପତ୍ତି ହୋଇଛି ।
ବୈଠକରେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସହ କର୍ପୋରେଟର ଓ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ମୋଟ ୧୭୮ଟି ପୂଜା ମଣ୍ଡପ ହୋଇଛି । ଏହି ସବୁ ପୂଜା ମଣ୍ଡପରେ ପରିମଳକୁ ଗୁରୁତ୍ୱ ଦେଇଛି ବିଏମ୍ସି।
ଦୁଇବର୍ଷ କୋଭିଡ ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ ଲାଗିଥିଲା । ତେବେ ଏଥର ମେଲୋଡି ପାଇଁ ଅନୁମତି ମିଳିଛି । ରାତି ୧୨ଟା ପର୍ଯ୍ୟନ୍ତ ପୂଜା ମଣ୍ଡପରେ ମେଲୋଡି ହୋଇ ପାରିବ । ଶାନ୍ତିଶୃଙ୍ଖଳାର ସହିତ ମେଲୋଡି କରିବାକୁ କୁହାଯାଇଛି । ଏଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ । ଭସାଣ ଉତ୍ସବ ପାଇଁ ବିଏମ୍ସି ପକ୍ଷରୁ ମେଢ଼ ବିସର୍ଜନ କରିବାକୁ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯିବ ବୋଲି ମେୟର ଶ୍ରୀମତୀ ଦାସ କହିଛନ୍ତି । କୁଆଖାଇ ଓ ଦୟାନଦୀ କୂଳରେ ଏଥିପାଇଁ ଅସ୍ଥାୟୀ ପୋଖରୀ କରିବ ବିଏମ୍ସି । ରାଜଧାନୀରେ ଏକାଧିକ ଅଞ୍ଚଳକୁ ଖୋଳିତାଡି ଛାରଖାର କରିଛି ସ୍ୱେରେଜ । ଏହା ସହ ରାସ୍ତାର ଅବସ୍ଥା ବି ଶୋଚନୀୟ । ତେଣୁ ପୂଜା ପୂର୍ବରୁ ରାସ୍ତାକାମ ସାରିବାକୁ ପୂଜା ମଣ୍ଡପ କର୍ମକର୍ତ୍ତା ମାନେ ଅନୁରୋଧ କରିଥିଲେ । ଏହାକୁ ଗୁରୁତ୍ୱର ସହ ନେଇଛି ବିଏମ୍ସି । ପୂଜା ପୂର୍ବରୁ ରାସ୍ତା କାମ ସାରିବାକୁ ମେୟର ଶ୍ରୀମତି ଦାସ ନିର୍ଦ୍ଦେଶ ଦେଇଛନ୍ତି ।
ପୂଜା ବଜାରରେ ଖୋଲିବାକୁ ଥିବା ବିଭିନ୍ନ ଫାଷ୍ଟଫୁଡ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦୋକାନ ଖୋଲିବ । ଏହି ଦୋକାନ ଉପରେ ନଜର ରଖିବାକୁ ଖାଦ୍ୟ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ମୋଟ୍ ୭ ଜଣ ଫୁଡ୍ସେପ୍ଟି ଇନ୍ସପେକ୍ଟର ରହିବେ ବୋଲି କହିଛନ୍ତି କମିଶନର ଶ୍ରୀ କୁଲାଙ୍ଗେ । ସେହିପରି ଜଳ ଯୋଗଣା କରିବାକୁ ୱାଟ୍କୋକୁ କୁହାଯାଇଛି । ୨୪ ଘଣ୍ଟା ବିଦ୍ୟୁତ ଯୋଗଣାକୁ ଗୁରୁତ୍ୱ ଦେବ ବିଏମ୍ସି ।