ଏଥର ଆଉ ୧୦ଟି ନୂଆ ସ୍ଥାନରେ ହେବ ଇକୋ ରିଟ୍ରିଟ୍; ଯୋଡି ହେଲା କୋଟିଆ ଓ ଦେଓମାଳି

କୋଟିଆରେ ହେବ ଇକୋ ରିଟ୍ରିଟ୍ । କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଏବଂ ଦେଓମାଳିରେ ଚଳିତବର୍ଷ ହେବ ଇକୋ ରିଟ୍ରିଟ୍ କ୍ୟାମ୍ପ । କୋଟିଆରେ ଓଡିଶାର ଅଧିକାର ଅଧିକ ଦୃଢ କରିବାକୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ।
ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟରେ ୧୦ ନୂଆ ସ୍ଥାନରେ ଇକୋ ରିଟ୍ରିଟ୍ ଓ ୩ଟି ନେଚର କ୍ୟାମ୍ପ କରାଯିବ ।
କୋରାପୁଟ ଜିଲ୍ଲାର ଦେଓମାଳି, କୋଟିଆ, କଳାହାଣ୍ଡିର ଜାକାମ, ଉତ୍ତର ଶିମିଳିପାଳର ନୱାନ, ଫୁଲବାଣୀର ସିଲଭିକଲଚର ଗାର୍ଡେନ, ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁହାଣ, ରାଇରଙ୍ଗପୁରର ଖଡାଖାଇ ଡ୍ୟାମ୍ , ଗଞ୍ଜାମର ମହେନ୍ଦ୍ରଗିରି, କେନ୍ଦୁଝର ବନଖଣ୍ଡର କାଞ୍ଜିପାଣି ଡ୍ୟାମ୍ , ହଡଗଡ ଡ୍ୟାମ୍ ଠାରେ ଇକୋ ରିଟ୍ରିଟ୍ କ୍ୟାମ୍ପ ହେବ ।
ସେହିପରି କୋରାପୁଟର ରାଣୀ ଡୁମଡୁମା, କଟକର ଧଲତାନଗଡ ଏବଂ ନୟାଗଡ ବନଖଣ୍ଡ ଅଧୀନ ଝାଡେଶ୍ୱର ମନ୍ଦିର ନିକଟ ମନ୍ଦରପାହାଡରେ ନେଚର କ୍ୟାମ୍ପ ଆୟୋଜନ କରାଯିବ । ବର୍ତ୍ତମାନ ରାଜ୍ୟରେ ୫୦ ଟି ଇକୋ ରି ଟ୍ରିଟ୍ କାର୍ଯ୍ୟକ୍ଷମ ରହିଛି । ଏହି ନୂଆ ୧୩ଟି ମିଶିବା ପରେ ସେହି ସଂଖ୍ୟା ୬୩କୁ ବୃଦ୍ଧି ପାଇବ ।
ଇକୋ ରି ଟ୍ରିଟ୍ ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ବଢୁଥିବାରୁ ରାଜସ୍ୱ ଆଦାୟ ବୃଦ୍ଧି ପାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଇକୋ ରି ଟ୍ରିଟ୍ ବିକାଶ ପାଇଁ ଏବେ ଯାଏ ୯୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଗତ ୫ ବର୍ଷରେ ଇକୋ ସ୍ଥଳଗୁଡିକୁ ପର୍ଯ୍ୟଟନ ଆଗମନ ୧୪୨ ପ୍ରତିଶତ ବୃଦ୍ଧି ପାଇଛି ।