୧୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିବା ଲୋକଙ୍କୁ ନିୟମିତ କରାଯାଉ

0

ଯେଉଁମାନେ କୌଣସି ପଦବିରେ ୧୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଛନ୍ତି ସେମାନଙ୍କୁ ରାଜ୍ୟ ସରକାର ନିୟମିତ କରିବା ଲାଗି ପଦକ୍ଷେପ ନେବା ଉଚିତ୍‌ । ଏହିଭଳି ଯେତେ କର୍ମଚାରୀ ଅଛନ୍ତି ସମସ୍ତଙ୍କ ପାଇଁ ଏକକାଳୀନ ପଦକ୍ଷେପ ନେବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପୌର ନିଗମ ଦ୍ୱାରା ୧୯୯୪ ମସିହାରେ ସହକାରୀ ଶିକ୍ଷକ ଭାବେ ଟିଜି (ଟ୍ରେଣ୍ଡ୍‌ ଗ୍ରାଜୁଏଟ୍‌) ପଦବିରେ ଏମ୍‌ପିଏଲ୍‌ ବାଳିକା ଉଚ୍ଚ ବିଦ୍ୟାଳୟରେ ହରପ୍ରିୟା ପାତ୍ରଙ୍କୁ ନିଯୁକ୍ତି ମିଳିଥିଲା । ଏହି ବିଦ୍ୟାଳୟରେ କେବଳ ୨ ହଜାର ଟଙ୍କା ଦରମା (ରେମୁନେରେସନ୍‌) ରେ ସେ କାର୍ଯ୍ୟ କରି ଆସୁଥିଲେ ।

ଗତ ପ୍ରାୟ ୨୮ବର୍ଷ ଧରି ସେ ଟିଜିଟି ଶିକ୍ଷକ ଭାବେ ଶିକ୍ଷକତା କରି ଆସୁଥିଲାବେଳେ ତାଙ୍କୁ ନିୟମିତ କରାଯିବା ଲାଗି କୌଣସି ପଦକ୍ଷେପ ନିଆଯାଇନଥିଲା । ଏହିଭଳି ଆହୁରି କେତେକ ମାମଲା ଓଡ଼ିଶା ହାଇକୋର୍ଟକୁ ଆସିଥିଲା। ଏସବୁ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ପାଣିଗ୍ରାହୀ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆବେଦନକାରିଣୀଙ୍କୁ ୨୦୦୪ ଫେବ୍ରୁଆରୀ ୨୮ ତାରିଖରୁ ନିୟମିତ କରାଯିବା ସହ ସେବେଠାରୁ ତାଙ୍କୁ ସମସ୍ତ ଅର୍ଥ ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରିଣୀ ବ୍ରହ୍ମପୁର ପୌର ନିଗମ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିଲାବେଳେ ରେମୁନେରେସନ୍‌ରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା କରାଗଲା । ରାଜ୍ୟ ସରକାର ୨୨୦ ଜଣ ଶିକ୍ଷକଙ୍କୁ ନିୟମିତ ଘୋଷଣା କରିଥିଲାବେଳେ ଆବେଦକାରିଣୀଙ୍କୁ ଠିକା ନିଯୁକ୍ତିରେ ରଖିଥିଲେ । ଫଳରେ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଆବେଦନକାରିଣୀ ଗଣଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସବୁଠାରୁ ନିରାଶ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ହାଇକୋର୍ଟ ଆବେଦନକାରିଣୀଙ୍କ ସମେତ ଏହିଭଳି ଏକାଧିକ ମାମଲାରେ ରାୟ ପ୍ରକାଶ କରି କହିଛନ୍ତି ଯେ, ସରକାରୀ ପଦପଦବିରେ ଯେଉଁମାନେ ଚାକିରି କରୁଛନ୍ତି ସେମାନେ ସମ୍ବିଧାନର ନିୟମ ଦ୍ୱାରା ପରିଚାଳିତ । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମରେ ସେମାନେ ବନ୍ଧା । ଠିକାରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ସମସ୍ୟା ପ୍ରାୟ ଦଶନ୍ଧି ଦଶନ୍ଧି ଧରି ଚାଲି ଆସୁଛି । ସୁପ୍ରିମ୍‌କୋର୍ଟ ଏହି ପରିପ୍ରେକ୍ଷୀରେ ଠିକା କର୍ମଚାରୀଙ୍କ ସମସ୍ୟାର କିପରି ସମାଧାନ କରାଯିବ ସେଥିପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ଏହି ଅବସରରେ ଆବେଦନକାରିଣୀଙ୍କ ଏକ ଯୁକ୍ତିକୁ ଗ୍ରହଣ କରି ହାଇକୋର୍ଟ କହିଛନ୍ତି ଯେ, ସବୁବେଳେ ନିୟମିତ ଖାଲି ପଦବିକୁ ଉଚ୍ଛେଦ କରାଯାଇ ସେହି ସ୍ଥାନରେ ଠିକା ପଦବି ସୃଷ୍ଟି କରଯାଉଛି । କିନ୍ତୁ ଏଠି ଆବେଦନକାରିଣୀଙ୍କ କ୍ଷେତ୍ରରେ ଟିଜିଟି ପଦବି ଉଚ୍ଛେଦ କରାନଯାଇ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏଠାରେ ରାଜ୍ୟ ସରକାର ଆବେଦନକାରିଣୀଙ୍କୁ ନିୟମିତ ନ କରି ଏକ ବିରାଟ ତ୍ରୁଟି କରିଛନ୍ତି । ଠିକା କର୍ମଚାରୀଙ୍କୁ ନିୟମିତ କରିବା ନେଇ ଦୀର୍ଘ ବର୍ଷ ଧରି ବହୁ ମାମଲାର ବିଚାର ଚାଲି ଆସୁଛି । ତେଣୁ ଏଭଳି କ୍ଷେତ୍ରରେ ଅଦାଲତ ଏକ ଗାଇଡ୍‌ର ଭୂମିକା ନିର୍ବାହ କରିବେ । ତେଣୁ ରାଜ୍ୟ ସରକାର ଠିକାରେ ଗତ ୧୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ବିଭିନ୍ନ କର୍ମଚାରୀଙ୍କୁ ନିୟମିତ କରିବା ଲାଗି ପଦକ୍ଷେପ ନେବା ଉଚିତ୍‌ ବୋଲି ହାଇକୋର୍ଟ ମତ ଦେଇଛନ୍ତି ।

SOA post below
Leave a comment