ତିର୍ତ୍ତୋଲ ଉପନିର୍ବାଚନ, ବିଜୟ ଶଙ୍କର ତିର୍ତ୍ତୋଲ ବାସୀଙ୍କ ପ୍ରଥମ ପସନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଷ୍ଣୁଙ୍କୁ ଝୁରୁଛି ତିର୍ତ୍ତୋଲ । ସ୍ବର୍ଗତ ବିଷ୍ଣୁ ଦାସଙ୍କ ସୁପୁତ୍ର ବିଜୟ ଶଙ୍କର ଦାସ ତିର୍ତ୍ତୋଲ ବାସୀଙ୍କ ପ୍ରଥମ ପସନ୍ଦ । ବିଷ୍ଣୁ ଦାସ ପୁରୁଖା ନେତା ମାନଙ୍କ ମଧ୍ୟରେ ଅନ୍ୟତମ । ବିଜୁ ବାବୁଙ୍କ ସମୟରୁ ସ୍ବର୍ଗତ ଦାସ ତାଙ୍କ ସହ ରାଜନୀତିରେ ଜଡିତ ଥିଲେ । ସେ ମନ୍ତ୍ରୀ ପଦରେ ଥିବା ବେଳେ ହେଉ କିମ୍ବା ମନ୍ତ୍ରୀ ପଦରୁ ବହିଷ୍କାର ହେବାପରେ ମଧ୍ୟ ତାଙ୍କ ମୁହଁରୁ ଦଳ ବିରୁଦ୍ଧରେ କେବେ କିଛି ଶୁଣିବାକୁ ମିଳିନଥିଲା । ସେ ଜଣେ ନିଷ୍ଠାପର ବିଜେଡ଼ି ନେତା ଭାବେ ନିଜ କର୍ତ୍ତବ୍ୟ କରିଥିଲେ । ସେ ଜଗତସିଂହପୁର ଜିଲ୍ଲାର ଜଣେ ଲୋକପ୍ରିୟ ନେତା ଥିଲେ । ବିଜେଡିକୁ ଜଗତସିଂହପୁର ଜିଲ୍ଲାରେ ସୁଦୃଢ଼ କରିବାରେ ତାଙ୍କର ଅନେକ ଅବଦାନ ରହିଛି । ଜଗତସିଂହପୁର ବିଜେଡିର ଜଣେ ସୁସାଙ୍ଗଠନିକ ନେତା ଭାବେ ସ୍ବର୍ଗତ ଦାସ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତେଣୁ ସ୍ବର୍ଗତ ଵିଷ୍ଣୁ ଦାସଙ୍କ ସୁପୁତ୍ର ବିଜୟ ଶଙ୍କରଙ୍କୁ ନିଜ ବିଧାୟକ ଭାବେ ଦେଖିବାକୁ ତୃଣମୂଳ ସ୍ତରରେ ତିର୍ତ୍ତୋଲ ବିଜେଡ଼ି କର୍ମୀମାନେ ଇଚ୍ଛା ପ୍ରକାଶ କରିଥିବା ବେଳେ ଏହା ସ୍ବର୍ଗତ ଦାଶଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ନିର୍ବାଚନ କମିଶନ ଆସନ୍ତା ନଭେମ୍ବର ୩ ତାରିଖରେ ଓଡ଼ିଶାର ବାଲେଶ୍ୱର ଏବଂ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ସମସ୍ତ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କଂଗ୍ରେସ ଏବଂ ବିଜେପି ପକ୍ଷରୁ ପ୍ରାର୍ଥୀ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ, ବିଜେପିରୁ ରାଜକିଶୋର ବେହେରାଙ୍କ ନାମ ଚୂଡାନ୍ତ ହୋଇଥିବା ବେଳେ ବିଜେଡିର ପ୍ରାର୍ଥୀ ନାମ ଏପର୍ଯ୍ୟନ୍ତ ସ୍ଥିର ହୋଇପାରି ନାହିଁ ।

Leave A Reply

Your email address will not be published.