ଜଣେ ମୃତ, ୪୦ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ)ତୀର୍ଥଯାତ୍ରୀ ବସ ଓଲଟି ଜଣେ ମହିଳା ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ। ଆଜି ସକାଳେ କୋଲକାତାରୁ ଧାମନଗର ଯାଉଥିବା ଏକ ଯାତ୍ରୀବାହୀ ବସ ଏହି ଥାନା ଅଧୀନ ଜାତୀୟ ରାଜପଥର ପଣପଣା ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଘଟଣାସ୍ଥଳରେ ଜଣେ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ବସରେ ଥିବା ଅନ୍ୟ ୪୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସୋର ଓ ଖନ୍ତାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଘଟଣା ମୁତାବକ, କୋଲକାତାରୁ ମୁସଲମାନ ସମ୍ପ୍ରଦାୟର ଏକ ତୀର୍ଥଯାତ୍ରୀ ବସ ଧାମନଗରସ୍ଥିତ ପୀରବାବା ପୀଠକୁ ଆସୁଥିଲା। ଜାତୀୟ ରାଜପଥର ପଣପଣା ନିକଟରେ ଆଗରୁ ଏକ ଟାଟା ଏସିଇ ଗାଡ଼ି ଆସୁଥିବା ଦେଖି ଦୁର୍ଘଟଣା ଆଶଙ୍କା ରେ ବସ ଚାଳକ ବସକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ମାତ୍ର ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବସ ତଳେ ଚାପି ହୋଇ ମହିଳା ଯାତ୍ରୀ ନାସୀର ବେଗମଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବସରେ ଥିବା ଅନ୍ୟ ୪୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଖବରପାଇ ସ୍ଥାନୀୟ ପୋଲିସ, ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Sikshaya
Leave A Reply

Your email address will not be published.